Categories: ଜାତୀୟ

କେଇ ଘଣ୍ଟା ବର୍ଷାରେ ମେଟ୍ରୋ ଅବସ୍ଥା ବେହାଲ…

ବେଙ୍ଗାଲୁରୁ, ୧୮।୫ : ଉତ୍ତର ଭାରତରେ, ପ୍ରବଳ ତାତି ଯୋଗୁ ଅବସ୍ଥା ଖରାପ ହୋଇଥିବାବେଳେ ଆସାମରେ ପ୍ରବଳ ବର୍ଷା ବନ୍ୟା ପରିସ୍ଥିତି ସୃଷ୍ଟି କରିଛି। ଏଭଳି ସ୍ଥଳେ କର୍ନାଟକର ବେଙ୍ଗାଲୁରୁରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି। କିଛି ଘଣ୍ଟା ବର୍ଷା ପରେ ଏଠାରେ ବନ୍ୟା ପରି ପରିସ୍ଥିତି ସୃଷ୍ଟି ହେଉଛି। ପ୍ରବଳ ବର୍ଷା ଯୋଗୁ ରାସ୍ତା ଘାଟ ଆବାସିକ ଅଞ୍ଚଳରେ ପାଣି ଭର୍ତ୍ତି ହୋଇଯାଇଛି।

ପ୍ରବଳ ଉତ୍ତାପ ମଧ୍ୟରେ ମଙ୍ଗଳବାର ବେଙ୍ଗାଲୁରୁରେ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ବର୍ଷା ଯୋଗୁ ଅନେକ ଅଞ୍ଚଳରେ ଜଳବନ୍ଦୀ ପରିସ୍ଥିତି ପରି ସୃଷ୍ଟି ହୋଇଥିଲା। ରାସ୍ତାରେ ପାର୍କିଂ ହୋଇଥିବା କାରଗୁଡିକ ପାଣିରେ ବୁଡ଼ି ଯାଇଥିଲା। ଚାରିଆଡ଼ ଜଳମୟ ହୋଇ ଯାଇଥିଲା। ମେଟ୍ରୋ ସିଟିର ଅବସ୍ଥା କିଛିକ୍ଷଣ ମଧ୍ୟରେ ବେହାଲ ହୋଇଯାଇଥିଲା।

ବେଙ୍ଗାଲୁରୁରେ ମେଟ୍ରୋ ସେବା ମଧ୍ୟ ବର୍ଷା ଯୋଗୁଁ ପ୍ରଭାବିତ ହୋଇଛି। ଅନେକ ଅଞ୍ଚଳରେ ପାଣି ଭର୍ତ୍ତି ହେବା କାରଣରୁ ବିଦ୍ୟୁତ ଯୋଗାଣ ବ୍ୟାହତ ହୋଇଛି।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ, କର୍ନାଟକରେ ଆଗାମୀ ତିନିରୁ ଚାରି ଦିନ ପର୍ଯ୍ୟନ୍ତ ବର୍ଷା ପାଇଁ ଚେତାବନୀ ଦିଆଯାଇଛି। ଆଣ୍ଡାମାନ ଏବଂ ନିକୋବରରେ ଉତ୍ତର-ପଶ୍ଚିମ ମୌସୁମୀର ପ୍ରଭାବ ଯୋଗୁ ବର୍ଷା ହଉଛି। ଏହି କାରଣରୁ ବର୍ଷା ସମ୍ପର୍କରେ ବିଭାଗ ପକ୍ଷରୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିଲା। ଆଗାମୀ ତିନି ଦିନ ଧରି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି।

Share