Categories: ଜାତୀୟ

ହଡ଼ବଡ଼େଇଲେ ମମତା

କୋଲକାତା,୨୪ା୧: କେନ୍ଦ୍ର ସରକାରଙ୍କ ସହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅହି ନକୁଳ ସମ୍ପର୍କ ଶନିବାର ଏକ ଅସ୍ବାଭାବିକ ସ୍ଥିତି ସୃଷ୍ଟି କରିଛି। ନେତାଜୀ ଜୟନ୍ତୀ ପାଳନ ଅବସରରେ କୋଲକାତାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମମତା ହଡ଼ବଡ଼ାଇ ଯାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଉତ୍ସାହିତ ଭାଜପା କର୍ମୀମାନେ ‘ଜୟ ଶ୍ରୀରାମ’ ସ୍ଲୋଗାନ ଦେଇଥିଲେ। ଏହାକୁ ନେଇ ମମତା ତାଙ୍କୁ ଅପମାନିତ କରାଯାଇଥିବା ଦର୍ଶାଇ ଭାଷଣ ଦେବାକୁ ମନା କରିଦେଇଥିଲେ। ପଶ୍ଚିମବଙ୍ଗବାସୀଙ୍କ ଅସ୍ମିତାକୁ ଉସୁକାଇବା ପାଇଁ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସୁପ୍ରିମୋ ଏପରି କରିଥିବା କୁହାଯାଉଛି।
ସ୍ବାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀକୁ କେନ୍ଦ୍ର ସରକାର ଏଥର ପରାକ୍ରମ ଦିବସ ଭାବେ ପାଳନ କରୁଛନ୍ତି। ଏହି ଅବସରରେ କେନ୍ଦ୍ର ପକ୍ଷରୁ କୋଲକାତାର ଭିକ୍ଟୋରିଆ ମେମୋରିଆଲରେ ଏକ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନକର ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଞ୍ଚାସୀନ ଥିଲେ। ମମତାଙ୍କ ଭାଷଣ ଦେବା ପାଳି ଆସିବା ପରେ ସମ୍ବୋଧିତ କରିବା ପାଇଁ ତାଙ୍କୁ ଅନୁରୋଧ କରାଯାଇଥିଲା। ତେବେ ମମତା ଭାଷଣ ଆରମ୍ଭ କରିବା ମାତ୍ରେ ଉପସ୍ଥିତ ଭିଡ଼ ଭିତରୁ କେତେଜଣ ବ୍ୟକ୍ତି ‘ଜୟ ଶ୍ରୀରାମ’ ସ୍ଲୋଗାନ ଦେଇଥିଲେ। ଆୟୋଜକମାନେ ନୀରବ ରହିବାକୁ ସେମାନଙ୍କୁ ଅନୁରୋଧ କରିଥିଲେ ହେଁ ସେମାନଙ୍କ କଥାକୁ ସ୍ଲୋଗାନ ଦେଉଥିବା ଲୋକେ ଶୁଣି ନ ଥିଲେ। ମମତା ଏଥିରେ କ୍ଷୁବ୍ଧ ହୋଇ କହିଥିଲେ, ତୁମେ ଯଦି ଏକ ସରକାରୀ କାର୍ଯ୍ୟକ୍ରମକୁ ଜଣଙ୍କୁ ନିମନ୍ତ୍ରଣ କରିଛ ତେବେ ତାଙ୍କୁ ଅପମାନିତ କରିବା ଅନୁଚିତ। ସରକାରୀ କାର୍ଯ୍ୟକ୍ରମର ମର୍ଯ୍ୟାଦା ରହିବା କଥା। ମୋତେ ଅପମାନିତ କରନାହିଁ ବୋଲି କହି ସେ ଭାଷଣ ଦେବାକୁ ମନା କରିଦେଇଥିଲେ। ତେବେ ନେତାଜୀ ଜୟନ୍ତୀ କାର୍ଯ୍ୟକ୍ରମର ଆୟୋଜନ କୋଲକାତାରେ କରିଥିବାରୁ ପ୍ରଧାନମନ୍ତ୍ରୀଙ୍କ ସହ ସଂସ୍କୃତି ମନ୍ତ୍ରଣାଳୟକୁ ମମତା ଧନ୍ୟବାଦ ଦେଇଥିଲେ। ମମତାଙ୍କ ମତରେ ଏହା କୌଣସି ରାଜନୈତିକ କାର୍ଯ୍ୟକ୍ରମ ନୁହେଁ। ସରକାରୀ କାର୍ଯ୍ୟକ୍ରମରେ ସବୁ ଦଳ ଓ ଧର୍ମର ଲୋକେ ସମ୍ପୃକ୍ତ ଥାଆନ୍ତି। ତେଣୁ ଏଭଳି କାର୍ଯ୍ୟକ୍ରମକୁ ଡାକି ଅପମାନିତ କରିବା ଗ୍ରହଣୀୟ ନୁହେଁ। ଏପରି ବ୍ୟବହାର ତୁମକୁ ଶୋଭାପାଉ ନାହିଁ। ଏହାର ପ୍ରତିବାଦ ସ୍ବରୂପ ମୁଁ କିଛି କହିବି ନାହିଁ। ଜୟ ହିନ୍ଦ୍‌, ଜୟ ବଙ୍ଗଳା କହି ମମତା ନିଜ ସଂକ୍ଷିପ୍ତ ଅଭିଭାଷଣକୁ ସମାପ୍ତ କରିଥିଲେ।

 

Share