Categories: ଜାତୀୟ

ଧର୍ମନିରପେକ୍ଷ ରାଷ୍ଟ୍ରରେ ଧର୍ମ ଆଧାରରେ ବିଭକ୍ତିକରଣ ଅନୁଚିତ, ହାଇକୋର୍ଟ…

ଚେନ୍ନାଇ, ୧୦।୨ : ମନ୍ଦିର ପରିସରରେ ପ୍ରବେଶ ପାଇଁ ପାରମ୍ପରିକ ଡ୍ରେସ କୋଡକୁ ନିର୍ଦ୍ଦେଶ ଦେବା ପାଇଁ ମାଡ୍ରାସ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଶୁଣାଣି କରୁଥିବାବେଳେ ମୁଖ୍ୟ ବିଚାରପତି ମୁନିଶ୍ୱର ନାଥ ଭଣ୍ଡାରୀ ଧର୍ମ ନାମରେ ବିଭାଜନ ନେଇ ଦୁଃଖ ପ୍ରକାଶ କରିଛନ୍ତି। ଆମ ଦେଶ ଏକ ଧର୍ମନିରପେକ୍ଷ ଦେଶ ବୋଲି ମନେ ପକାଇ ପ୍ରଧାନ ବିଚାରପତି ଚେତାବନୀ ଦେଇଛନ୍ତି ଯେ ଦେଶକୁଧର୍ମ ଆଧାରରେ ବିଭକ୍ତିକରଣ ଅନୁଚିତ।

ପ୍ରାଥମିକତା କ’ଣ? ଦେଶ ନା ଧର୍ମ? ଏହା ଦେଖିବା ପ୍ରକୃତରେ ଆଶ୍ଚର୍ଯ୍ୟଜନକ ଯେ କେହି କେହି ହିଜାବ ପାଇଁ, ଆଉ କେତେକ ମନ୍ଦିର ଭିତରେ ବ୍ୟବହାର ଧୋତି ପାଇଁ ବିବାଦ କରୁଛନ୍ତି। ଏହା ଏକ ଦେଶ ନା ଏହା ଧର୍ମ ଦ୍ୱାରା ବିଭକ୍ତ? ଏଭଳି ପ୍ରଶ୍ନ କରିଛନ୍ତି ମୁଖ୍ୟ ବିଚାରପତି।

ଅଣ-ହିନ୍ଦୁମାନଙ୍କୁ ମନ୍ଦିର କମ୍ପ୍ଲେକ୍ସରେ ପ୍ରବେଶ ନକରିବା ପାଇଁ ତଥା ପାରମ୍ପରିକ ଡ୍ରେସ କୋଡକୁ ମନ୍ଦିରରେ ପ୍ରବେଶ ସମୟରେ ଅନୁମତି ଦେବା ପାଇଁ ରଙ୍ଗରାଜନ ନରସିଂହାନଙ୍କ ଦ୍ୱାରା ଦୁଇଟି ଜନସ୍ବାର୍ଥ ମାମଲା (ପିଆଇଏଲ) ଦାଖଲ କରାଯାଇଥିଲା। ମୁଖ୍ୟ ବିଚାରପତି ମୁନିଶ୍ୱର ନାଥ ଭଣ୍ଡାରୀ ଏବଂ ଜଷ୍ଟିସ ଡି.ଭରତ ଚକ୍ରବର୍ତ୍ତୀଙ୍କୁ ନେଇ ଗଠିତ ବେଞ୍ଚରେ ପ୍ରଥମେ ଏହି ମାମଲାର ଉପସ୍ଥାପନା କରାଯାଇଥିଲା। କଥାବାର୍ତ୍ତା କେବଳ ମୌଳିକ ଅଧିକାରରେ ସୀମିତ ରହିବା ଉଚିତ ନୁହେଁ। ନାଗରିକମାନେ ଦେଶକୁ କ’ଣ ଦେଇପାରିବେ ଏବଂ ସେମାନଙ୍କର ମୌଳିକ କର୍ତ୍ତବ୍ୟ ବିଷୟରେ ମଧ୍ୟ ଆଲୋଚନା କରିବା ଜରୁରୀ।

ମନ୍ଦିରରେ ପ୍ରବେଶ ପାଇଁ ବାଧ୍ୟତାମୂଳକ ଡ୍ରେସ କୋଡ ସୂଚାଉଥିବା ସାଇନବୋର୍ଡ ନେଇ କୋର୍ଟ କହିଛନ୍ତି ଯେ, ତାମିଲନାଡୁର ମନ୍ଦିରଗୁଡିକ ଥିରୁଭାନନ୍ତପୁରମରେ ଥିବା ଶ୍ରୀପଦ୍ମନାଭ ସ୍ବାମୀ ମନ୍ଦିର ପରି ଏକ ନିର୍ଦ୍ଦିଷ୍ଟ ଡ୍ରେସ କୋଡକୁ ବାଧ୍ୟତାମୂଳକ କରି ନ ଥାନ୍ତି। ମନ୍ଦିରର ଏକ ପ୍ରଥା ଅଛି, ଏହାକୁ ଅନୁସରଣ କରାଯାଇପାରିବ। କିନ୍ତୁ ଆବେଦନକାରୀ ଏହା ଉପରେ କିଛି ତଥ୍ୟ ପ୍ରଦାନ କରି ନାହାଁନ୍ତି ବୋଲି ଖଣ୍ଡପୀଠ କହିଛନ୍ତି।

ଆଡଭୋକେଟ ଜେନେରାଲ ଆର. ଶୁନମୁଗାସୁନ୍ଦରମଙ୍କ ଦାଖଲ ହୋଇଥିବା ଲିଖିତ ଆବେଦନରେ ଉଲ୍ଲେଖ କରାଯାଇଥିଲା ଯେ, ଏକକ ଖଣ୍ଡପୀଠ ମନ୍ଦିର ପରିସରରେ ଡ୍ରୋସ୍‌ କୋଡ୍‌ ପାଇଁ କେତେକ କଟକଣା ଜାରି କରିଥିଲେ। ତେବେ ଡିଭିଜନ ବେଞ୍ଚ ଏହାର ଓଲଟା ରାୟ ଦେଇଥିଲେ। ଆଡଭୋକେଟ ଜେନେରାଲ କହିଛନ୍ତି ଯେ ପ୍ରତ୍ୟେକ ମନ୍ଦିରର ନିଜସ୍ବ ପ୍ରଥା ରହିଛି ଯାହା ଅଣ-ହିନ୍ଦୁମାନଙ୍କୁ ମନ୍ଦିରର ଫ୍ଲାଗ ପୋଷ୍ଟ କିମ୍ବା ଅନ୍ୟାନ୍ୟ ଅଞ୍ଚଳକୁ ଯିବାକୁ ଅନୁମତି ଦେଇ ନ ଥାଏ।
ମନ୍ଦିରରେ ଅଣ-ହିନ୍ଦୁଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇବାକୁ ଚାହୁଁଥିବା ଦ୍ୱିତୀୟ ଲିଖିତ ଆବେଦନ ଉପରେ ବେଞ୍ଚ ଆଡଭୋକେଟ ଜେନେରାଲଙ୍କୁ ଦୁଇ ସପ୍ତାହ ମଧ୍ୟରେ ଏଚ୍‌ଆର୍‌ ଏବଂ ସିଇ ବିଭାଗ ତରଫରୁ କାଉଣ୍ଟର ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମନ୍ଦିରରେ ଅଣ-ହିନ୍ଦୁଙ୍କ ପ୍ରବେଶ ଏହାର ପରିସରର ପବିତ୍ରତାକୁ ପ୍ରଭାବିତ କରିବ ବୋଲି ଆବେଦନକାରୀ ଯୁକ୍ତି ବାଢ଼ିଛନ୍ତି।

 

Share