ଦାଦାଙ୍କ ସହ ଦାଦାଗିରି କରିବେ ଅନୁଭବ

ଭୁବନେଶ୍ୱର,୫।୨: ସାରା ବିଶ୍ୱରେ ଦାଦା ଭାବେ ବେଶ୍‌ ଲୋକପ୍ରିୟତା ହାସଲ କରିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ଅଧିନାୟକ ସୌରଭ ଗାଙ୍ଗୁଲି। ଶନିବାର ଜୀ ସାର୍ଥକରେ ପ୍ରସାରିତ ହେବାକୁ ଥିବା ସ୍ବତନ୍ତ୍ର ଅଧ୍ୟାୟରେ ଦାଦାଙ୍କ ସହ ଦାଦାଗିରି କରିବେ ଅନୁଭବ। ଏଥର ଓଡ଼ିଆ ଟେଲିଭିଜନ ଦର୍ଶକଙ୍କୁ ମନୋରଞ୍ଜନ କରିବାକୁ ଉଭୟ ସୌରଭ-ଅନୁଭବ ଆସୁଛନ୍ତି। ଜୀ ସାର୍ଥକ ଓଡ଼ିଆର ସବୁଠାରୁ ବ୍ୟୟବହୁଳ ମେଗା ରିଆଲିଟି ଗେମ୍‌ ଶୋ ‘ଦାଦାଗିରି’କୁ ଆହୁରି ଲୋକପ୍ରିୟ କରାଇବାକୁ ଦାଦା (ସୌରଭ ଗାଙ୍ଗୁଲି) ଆସୁଛନ୍ତି। ଦାଦା ମଧ୍ୟ ଜୀ ବଙ୍ଗଳାରେ ପ୍ରସାରିତ ହେଉଥିବା ସବୁଠାରୁ ଲୋକପ୍ରିୟ ମେଗା ରିଆଲିଟି ଗେମ୍‌ ଶୋ ‘ଦାଦାଗିରି’ର ପରିଚାଳକ ଭାବେ ଗତ ୯ବର୍ଷ ହେବ ଉକ୍ତ ଧାରାବାହିକକୁ ସଞ୍ଚାଳନ କରି ଆସୁଛନ୍ତି। ଏଥର ଓଡ଼ିଶାର ଜୀ ସାର୍ଥକ ଚ୍ୟାନେଲରେ ପ୍ରସାରିତ ହେଉଥିବା ଧାରାବାହିକ ‘ଦାଦାଗିରି’ର ଏକ ସ୍ବତନ୍ତ୍ର ଅଧ୍ୟାୟରେ ସୌରଭ ନିମନ୍ତ୍ରିତ ଅତିଥି ଭାବେ ଯୋଗଦେଉଛନ୍ତି। ପ୍ରଥମେ ଓଡ଼ିଆ ମେଗାଷ୍ଟାର ଅନୁଭବଙ୍କୁ ନେଇ ମେଗା ରିଆଲିଟି ଶୋ’ ‘ଦାଦାଗିରି’ର ପରିକଳ୍ପନା କରିଥିଲା ଚ୍ୟାନେଲ ଜୀ ସାର୍ଥକ। ଅନୁଭବଙ୍କ ଏହି ରିଆଲିଟି ଶୋ’ ସଞ୍ଚାଳନା ନେଇ ସାରା ଓଡ଼ିଶାରେ ଚର୍ଚ୍ଚା ଜୋର ଧରିଛି। ଅନେକ ସୁପରହିଟ୍‌ ଚଳଚ୍ଚିତ୍ର ଦେଇ ଓଡ଼ିଆ ଦର୍ଶକଙ୍କ ହୃଦୟ ଜିଣିଥିବା ଅନୁଭବ ‘ଦାଦାଗିରି’ ଶୋ’ ମାଧ୍ୟମରେ ଘରେ ଘରେ ସବୁବର୍ଗର ଲୋକଙ୍କୁ ଭରପୂର ମନୋରଞ୍ଜନ ଦେଇ ଚାଲିଛନ୍ତି। ଓଡ଼ିଶାର ୩୦ଟି ଜିଲାରୁ ୩୦ ଜଣ ବଛାବଛା ପ୍ରତିଯୋଗୀଙ୍କୁ ନେଇ ‘ଦାଦାଗିରି’ର ସ୍ପେଶାଲ ଏପିସୋଡ୍‌ ପ୍ରସ୍ତୁତ ହୋଇଥିବା ବେଳେ ଏଥିରେ ଯୋଗ ଦେଉଥିବା ପ୍ରଖ୍ୟାତ ସେଲିବ୍ରିଟିମାନେ ହିଁ ‘ଦାଦାଗିରି’ ର ଦର୍ଶକାଦୃତି ବୃଦ୍ଧି କରିବାରେ ମୁଖ୍ୟ ଭୂମିକା ନେଉଛନ୍ତି ବୋଲି ଜୀ ସାର୍ଥକ ପକ୍ଷରୁ କୁହାଯାଇଛି। ‘ଦାଦାଗିରି ହୃଦୟରୁ’ର ଏହି ସ୍ବତନ୍ତ୍ର ଓ ସପ୍ତମ ଅଧ୍ୟାୟ ଫେବୃୟାରୀ ୫ ରାତି ୯ଟାରେ ପ୍ରସାରଣ ହେବ ବୋଲି ଜୀ ସାର୍ଥକ ପକ୍ଷରୁ ସୂଚନା ଦିଆଯାଇଛି।

Share