ମେଲବୋର୍ନ,୨୨।୭(ପି.ଟି.): ଆଗାମୀ ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ ଖେଳାଳିମାନଙ୍କୁ ୨ ସପ୍ତାହ କ୍ୱାରାଣ୍ଟାଇନ୍ରେ ରହିବାକୁ ପଡିବ। ଭାରତ ଆଡିଲେଡ୍ରେ ପହଞ୍ଚିବା ପରେ ୧୪ ଦିନ କ୍ୱାରାଣ୍ଟାଇନ୍ରେ ରହିବ ବୋଲି କ୍ରିକେଟ ଅଷ୍ଟ୍ରେଲିଆ ମଧ୍ୟବର୍ତ୍ତୀକାଳୀନ ମୁଖ୍ୟ ନିକ୍ ହୋକ୍ଲି କହିଛନ୍ତି। ଚଳିତବର୍ଷ ଶେଷ ଆଡକୁ ଭାରତ ଅଷ୍ଟ୍ରେଲିଆ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ତେବେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲି କିନ୍ତୁ ପୂର୍ବରୁ ଭିନ୍ନ ପ୍ରକାର ମନ୍ତବ୍ୟ ଦେଇଥିଲେ। ଭାରତୀୟ ଖେଳାଳି ୧୪ ଦିନିଆ କ୍ୱାରାଣ୍ଟାଇନ୍ରେ ରହିବାର ଆବଶ୍ୟକତା ନାହିଁ ବୋଲି ଗାଙ୍ଗୁଲି କହିଥିଲେ। ଏହି ନିୟମ ସପକ୍ଷରେ ସେ ନାହାନ୍ତି ବୋଲି ସେ ସ୍ପଷ୍ଟ କରିଥିଲେ। ସବୁ ଖେଳାଳି ଓ ସପୋର୍ଟ ଷ୍ଟାଫ୍ଙ୍କୁ କ୍ୱାରାଣ୍ଟାଇନ୍ ନିୟମ ମଧ୍ୟରେ ଟ୍ରେନିଂ ପାଇଁ ଶ୍ରେଷ୍ଠ ସୁଯୋଗ ପ୍ରଦାନ କରାଯିବ ହୋକ୍ଲି କହିଛନ୍ତି। କ୍ୱାରାଣ୍ଟାଇନ୍ରେ ରହିବା ଅବସରରେ ମଧ୍ୟ ଖେଳାଳିମାନେ ଉଚ୍ଚକୋଟୀର ଟ୍ରେନିଂ ସୁଯୋଗ ପାଇବେ। ମ୍ୟାଚ୍ ପୂର୍ବରୁ ଇଚ୍ଛାଧୀନ ଭାବେ ଖେଳାଳିମାନେ ଅଭ୍ୟାସ କରିପାରିବେ। ଏହି କ୍ରମରେ ସ୍ବାସ୍ଥ୍ୟ ବିଶେଷଜ୍ଞ ଓ କର୍ତ୍ତୃପକ୍ଷଙ୍କ ପରାମର୍ଶ ନିଆଯିବ। ଜୈବ ସୁରକ୍ଷିତ ପରିବେଶ ସୃଷ୍ଟି କରାଯିବା ଉପରେ ସବୁଠାରୁ ଅଧିକ ଗୁରୁତ୍ୱ ଦିଆଯିବ ବୋଲି ସେ କହିଛନ୍ତି। ଭ୍ରମଣକାରୀ ଭାରତୀୟ କ୍ରିକେଟରଙ୍କ ସହିତ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ଖେଳି ଫେରିଥିବା ଅଷ୍ଟ୍ରେଲୀୟ ଖେଳାଳିମାନେ ମଧ୍ୟ ବାଧ୍ୟତାମୂଳକ ଭାବେ କ୍ୱାରାଣ୍ଟାଇନ୍ରେ ରହିବେ।