ଆଫଗାନିସ୍ତାନରେ ମହିଳାଙ୍କ ଉପରେ ଲାଗୁ ହେଉଛି କଡ଼ା କଟକଣା, ଜାତିସଂଘରେ ଚିନ୍ତାବ୍ୟକ୍ତ କଲା ଭାରତ…

ଜେନେଭା/ନୂଆଦିଲ୍ଲୀ, ୨।୭ : ଆଫଗାନିସ୍ତାନରେ ମହିଳାମାନଙ୍କ ଉପରେ ଲାଗୁ ହୋଇଥିବା କଡ଼ା କଟକଣା ନେଇ ଭାରତ ଜାତିସଂଘରେ ଚିନ୍ତାବ୍ୟକ୍ତ କରିଛି। ଜାତିସଂଘ ମାନବ ଅଧିକାର ପରିଷଦରେ ଭାରତ ଉଦ୍‌ବେଗ ପ୍ରକାଶ କରି ମହିଳା ଓ ବାଳିକାମାନଙ୍କର ଅଧିକାରର ସୁରକ୍ଷା ସୁନିଶ୍ଚିତ କରିବାକୁ ଆହ୍ବାନ ଦେଇଛି।

ଜେନେଭାରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ପୁନିତ ଅଗ୍ରୱାଲ କହିଛନ୍ତି ଯେ ଦୀର୍ଘ ଦିନ ଧରି ଭାରତ ଏବଂ ଆଫଗାନିସ୍ତାନ ସହଯୋଗୀ ଭାବରେ କାର୍ଯ୍ୟ କରିଆସୁଛନ୍ତି। ଏଭଳି ପରିସ୍ଥିତିରେ ସେଠାରେ ଶାନ୍ତି ଏବଂ ସ୍ଥିରତାକୁ ଫେରିବା ନିଶ୍ଚିତ କରିବା ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି।

ମାନବ ଅଧିକାର ପରିଷଦର ୫୦ ତମ ଅଧିବେଶନରେ ଆଫଗାନିସ୍ତାନରେ ମହିଳା ଏବଂ ବାଳିକାମାନଙ୍କର ମାନବିକ ସ୍ଥିତି ଉପରେ ଆଲୋଚନା ବେଳେ ରାଷ୍ଟ୍ରଦୂତ ପୁନିତ ଏହି ମନ୍ତବ୍ୟ ଦେଇଛନ୍ତି। ଆଫଗାନିସ୍ତାନରେ ମହିଳାମାନଙ୍କୁ ସାଧାରଣ ଜୀବନରୁ ହଟାଇବାକୁ ଚେଷ୍ଟା ଚାଲିଛି। ଶିକ୍ଷା ଅଧିକାର ସମେତ ମହିଳା ଓ ବାଳିକାଙ୍କ ଅଧିକାରର ସୁରକ୍ଷା ଏବେ ବିପଦରେ ପଡ଼ିଥିବା ସେ କହିଛନ୍ତି। ଏନେଇ ଯୋଜନାବଦ୍ଧ ଭାବେ ପଦକ୍ଷେପ ନେବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି॥

ସୂଚନାଯୋଗ୍ୟ, ତାଲିବାନ ଶାସନ ଆସିବା ପରେ ମହିଳାଙ୍କ ଉପରେ ଅତ୍ୟାଚାର ବୃଦ୍ଧି ପାଇଲା ଅଗଷ୍ଟ ୨୦୨୧ ମଧ୍ୟଭାଗରେ ରାଜଧାନୀ କାବୁଲକୁ କବଜା କରିବା ପରେ ତାଲିବାନ ଆଫଗାନିସ୍ତାନରେ କ୍ଷମତାକୁ ଫେରିଥିଲା। କ୍ଷମତା ଗ୍ରହଣ କରିବା ପରଠାରୁ, ଇସଲାମବାଦୀ ଗୋଷ୍ଠୀ ନୂତନ ନିୟମ ଜାରି କରୁଛନ୍ତି ଯାହା ମହିଳାମାନଙ୍କୁ କେବଳ ଆବଶ୍ୟକତା ସମୟରେ ଘରୁ ବାହାରକୁ ଯିବାକୁ ନିର୍ଦ୍ଦେଶ ଦେଇଥାଏ ଏବଂ ପରେ ସର୍ବସାଧାରଣରେ ସେମାନଙ୍କ ମୁହଁ ଘୋଡାଇବାକୁ ପଡ଼ିଥାଏ। କେବଳ ଏତିକି ନୁହେଁ ତାଲିବାନ ମଧ୍ୟ ମହିଳାଙ୍କ ଶିକ୍ଷା ଉପରେ ପ୍ରତିବନ୍ଧକ ଲଗାଇବାକୁ ନିର୍ଦ୍ଦେଶ ଦେଇଛି।

Share