ଆମେରିକାରେ ବିରଳ ରୋଗ ଚିହ୍ନଟ

ଓ୍ବାଶିଂଟନ୍‌,୧୭।୭: ଆମେରିକାରେ ଏକ ନୂଆ ବିପଦ ଦେଖାଦେଇଛି। ଟେକ୍ସାସର ଜଣେ ରୋଗୀଙ୍କଠାରେ ଏକ ବିରଳ ରୋଗ ଚିହ୍ନଟ ହୋଇଛି। ଯାହା ଏବେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଚିନ୍ତା ବଢ଼ାଇଛି। ଉକ୍ତ ରୋଗୀଙ୍କ ଶରୀରରେ ବଡ଼ ବଡ଼ ଫୋଟକା ବା ମଙ୍କିପୋକ୍ସ ଭାଇରସ୍‌ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଏହା ରାଜ୍ୟର ପ୍ରଥମ ଘଟଣା ବୋଲି ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ର(ସିଡିସି) ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ନିକଟରେ ଆମେରିକାର ଜଣେ ନାଗରିକ ନାଇଜେରିଆକୁ ଯାଇଥିଲେ। ଗତ କିଛି ଦିନ ତଳେ ସେ ଟେକ୍ସାସକୁ ଫେରିଥିଲେ। ଏହାପରେ ସେ ଜ୍ୱର ଓ ଥଣ୍ଡାରେ ଆକ୍ରାନ୍ତ ହୋଇଥିବାରୁ ତାଙ୍କୁ ଡଲାସ ସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ହସ୍ପିଟାଲର ଡାକ୍ତରଙ୍କ କହିବା ଅନୁସାରେ ଏହା ଏକ ବିରଳ ରୋଗ, ଏଥିରେ ଭୟଭୀତ ହେବାର କୌଣସି ଆବ୍ୟଶ୍ୟକତା ନାହିଁ। ଖୁବ୍‌ଶୀଘ୍ର ରୋଗୀ ଜଣଙ୍କ ସୁସ୍ଥ ହୋଇଯିବେ ବୋଲି ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି। ଅନ୍ୟପଟେ ଉକ୍ତ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ ଲୋକଙ୍କୁ ମଧ୍ୟ ଯାଞ୍ଚ କରାଯାଉଛି ବୋଲି ସିଡିସି କହିଛି। ଏହି ବିରଳ ରୋଗ ଶ୍ୱାସକ୍ରିୟା ଦ୍ୱାରା ବ୍ୟାପିଥାଏ। ଜଣେ ରୋଗୀଙ୍କ ସଂସ୍ପର୍ଶରେ ଆସିଲେ ହିଁ ଏହି ଭାଇରସ୍‌ ଅନ୍ୟମାନଙ୍କୁ ବ୍ୟାପିବାର ଅଧିକ ସମ୍ଭାବନା ରହିଥାଏ ବୋଲି ସିଡିସି ପକ୍ଷରୁ କୁହାଯାଇଛି। ଏହା ବିରଳ କିନ୍ତୁ ଗୁରୁତର ରୋଗ। ଯାହା ସାଧାରଣତଃ ଫ୍ଲୁ ଭଳି ଲକ୍ଷଣ ଦେଖାଯାଉଥିବା ବେଳେ ଲସିକା ଗ୍ରନ୍ଥି ମଧ୍ୟ ଫୁଲିବା ଆରମ୍ଭ ହୋଇଥାଏ। ଏହା ଧୀରେ ଧୀରେ ମୁହଁ ଏବଂ ଶରୀରକୁ ବ୍ୟାପିଥାଏ ବୋଲି ଜଣାପଡ଼ିଛି।

Share