ଆମେରିକାରେ ମୋଦିଙ୍କୁ ପ୍ରଶ୍ନ ପଚାରିଥିବା ସାମ୍ବାଦିକାଙ୍କୁ ଚାରିଆଡୁ ଟ୍ରୋଲ:ସାମ୍ବାଦିକାଙ୍କ ସମର୍ଥନରେ ବାହାରିଲା ହ୍ବାଇଟ୍‌ ହାଉସ୍‌

ଓ୍ବାଶିଂଟନ୍‌,୨୭।୬:‘ୱାଲ ଷ୍ଟ୍ରିଟ ଜର୍ଣ୍ଣାଲ’ର ସାମ୍ବାଦିକ ସାବ୍ରିନା ସିଦ୍ଦିକିଙ୍କୁ ବର୍ତ୍ତମାନ ଅନଲାଇନରେ ବହୁତ ଟ୍ରୋଲ କରାଯାଉଛି। ଗତ ସପ୍ତାହରେ ଜୋ ବାଇଡେନଙ୍କ ସହ ମିଳିତ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭାରତରେ ସଂଖ୍ୟାଲଘୁଙ୍କ ଅଧିକାର ସମ୍ପର୍କରେ ସାବ୍ରିନା ପ୍ରଶ୍ନ କରିଥିଲେ। ଏଥିଲାଗି ତାଙ୍କୁ ସବୁଆଡୁ ଟ୍ରୋଲର ଶିକାର ହେବାକୁ ପଡୁଛି। ମିଳିତ ସାମ୍ବାଦିକ ସମ୍ମିଳନୀର ଗୋଟିଏ ଦିନ ପରେ ସାମ୍ବାଦିକ ସାବ୍ରିନାଙ୍କୁ କିଛି ଲୋକ ‘ପାକିସ୍ତାନୀ ଇସଲାମବାଦୀ’ ବୋଲି କହି ଆକ୍ଷେପ କରିଥିଲେ।

ଜାତୀୟ ସୁରକ୍ଷା ପରିଷଦ ସଂଯୋଜକ ଜନ ର୍କିବି ଏହାକୁ ନିନ୍ଦା କରିବା ସହ ଏକ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି, ଆମର ସାମ୍ବାଦିକଙ୍କୁ ନିର୍ଯାତନା ଦିଆଯାଉଥିବା ଖବର ବିଷୟରେ ଆମେ ଅବଗତ ହେଇଛୁ। କୌଣସି ପରିସ୍ଥିତିରେ ସାମ୍ବାଦିକଙ୍କୁ ନିର୍ଯାତନା ଦେବାକୁ ଆମେ ନିନ୍ଦା କରୁଛୁ। ଏହା ସଂପୂର୍ଣ୍ଣ ଗ୍ରହଣୀୟ ନୁହେଁ। ଏହା ଗଣତନ୍ତ୍ରର ନୀତି ବିରୋଧ ଅଟେ।

ହ୍ବାଇଟ ହାଉସର ଗଣମାଧ୍ୟମ ସଚିବ କରିନେ ଜିଆନ-ପିଆର ଏନେଇ ହ୍ବାଇଟ୍‌ ହାଉସ୍‌ ପକ୍ଷରୁ ନିଜର ବୟାନ ଜାରି କରିଛନ୍ତି। ସେ କହିଛନ୍ତି, ଆମେ ଗଣମାଧ୍ୟମର ସ୍ବାଧୀନତା ପାଇଁ ସବୁବେଳେ ପ୍ରତିବଦ୍ଧ। ସେଥିପାଇଁ ଗତ ସପ୍ତାହରେ ଆମେ ସାମ୍ବାଦିକ ସମ୍ମିଳନୀ କରିଥିଲୁ। ସେ କହିଛନ୍ତି ଯେ, ଜଣେ ସାମ୍ବାଦିକଙ୍କୁ ଭୟଭୀତ କରାଇବା କିମ୍ବା ହଇରାଣ କରିବା ପାଇଁ ଯେଉଁଭଳିି ପ୍ରୟାସ କରାଯାଉଛି। ତାକୁ ଆମେ ଦୃଢ ନିନ୍ଦା କରୁଛୁ। ଏଥିସହ ଦକ୍ଷିଣ ଏସୀୟ ସାମ୍ବାଦିକ ସଂଘ ଅନଲାଇନ ଦୁଃବ୍ୟବହାରରେ ସାବ୍ରନାଙ୍କୁ ସମର୍ଥନ ଜଣାଇଛି।

Share