ସାବତମା’ ମାଡ଼ରେ ଝିଅ, ପୁଅ ଗୁରୁତର

ଆଠଗଡ଼,୩୧।୧୦(ସତ୍ୟ ପ୍ରସାଦ ରଥ):କଟକ ଜିଲା ଆଠଗଡ଼ରେ ସାବତମା’ ମାଡ଼ରେ ପୁଅ, ଝିଅ ଗୁରୁତର ହୋଇଛନ୍ତି। ସ୍ଥାନୀୟ ଲୋକଙ୍କ ସହଯୋଗରେ ଉଭୟ ଭାଇ,ଭଉଣୀଙ୍କୁ ଆଠଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଖବରପାଇ ପୋଲିସ ସାବତମା’ଙ୍କୁ ନେଇ ଆଠଗଡ଼ ଥାନାରେ ଅଟକ ରଖିଛି।
୪ ବର୍ଷ ପୂର୍ବେ ବାଙ୍କୀ ଥାନା ଅନ୍ତର୍ଗତ ପାଥପୁର ଅଞ୍ଚଳର ଜଣେ ବ୍ୟକ୍ତି ସମ୍ପୃକ୍ତା ମହିଳାଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ପ୍ରଥମ ସ୍ତ୍ରୀଙ୍କ ଗର୍ଭରୁ ଗୋଟିଏ ଲେଖାଏଁ ପୁଅ(୧୩) ଓ ଝିଅ(୧୦) ଥିବାବେଳେ ଦ୍ୱିତୀୟ ସ୍ତ୍ରୀଙ୍କ ଏକ କନ୍ୟା ସନ୍ତାନ(୨) ଅଛି। ସମ୍ପୃକ୍ତ ବ୍ୟକ୍ତିଙ୍କ ପ୍ରଥମ ବିବାହ ବିଚ୍ଛେଦ ପାଇଁ କୋର୍ଟରେ ମାମଲା ବିଚାରାଧୀନ ରହିଛି। ପ୍ରଥମ ସ୍ତ୍ରୀ ଏବେ ତାଙ୍କ ବାପଘରେ ରହୁଛନ୍ତି। ଅଭିଯୁକ୍ତା ମହିଳା ସ୍ବାମୀଙ୍କ ସହ ଆଠଗଡ଼ ଏନ୍‌ଏସି ଉପକଣ୍ଠ ଷୋଳଘରିଆ ନିକଟରେ କିଛି ଦିନ ହେବ ଏକ ଭଡ଼ାଘରେ ରହୁଥିଲେ। ସେମାନଙ୍କ ପାଖରେ ପ୍ରଥମ ସ୍ତ୍ରୀଙ୍କ ପିଲା ଦୁହେଁ ରୁହନ୍ତି। ସମ୍ପୃକ୍ତ ବ୍ୟକ୍ତି ଗାଡି ଚାଳକ ଭାବେ କାମ କରନ୍ତି। ସୋମବାର ସେ ଏକ ବୋଲେରୋ ଗାଡ଼ିର ମରାମତି ପାଇଁ ଯାଇଥିଲେ। ଏହି ସମୟରେ ଅଭିଯୁକ୍ତା ମହିଳା ସ୍ବାମୀଙ୍କ ପ୍ରଥମ ସ୍ତ୍ରୀଙ୍କ ପୁଅ ଓ ଝିଅକୁ କୌଣସି କାରଣରୁ ମରଣାନ୍ତକ ଆକ୍ରମଣ କରିଥିଲେ। ଏପରିକି ସେ ପିଲା ଦୁହଁିଙ୍କୁ ବେଲଣା (କାଠି), ଲୁହା ଖଡ଼ିକା, ସଣ୍ଢୁଆଶି ଆଦିରେ ମାଡ଼ ମାରି ଗୁରୁତର କରି ଦେଇଥିଲେ। ସ୍ଥାନୀୟ ଲୋକେ ଉଭୟ ପିଲାଙ୍କୁ ଉଦ୍ଧାର କରିଥିଲେ। ଏହି ଖବର ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ପାଥପୁର ଗ୍ରାମର ବହୁ ଲୋକେ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ସମ୍ପର୍କୀୟ ଭାଇମାନେ ଘଟଣାସ୍ଥଳରେ ପହଞ୍ଚତ୍ ପିଲାମାନଙ୍କୁ ସେମାନଙ୍କ ମା’ଙ୍କ ପାଖକୁ ପଠାଇଦେବା ପାଇଁ ପୋଲିସ ନିକଟରେ ଅନୁରୋଧ କରିଛନ୍ତି। ପୋଲିସ ଉଭୟ ପିଲାଙ୍କ ପ୍ରଥମ ମା’ଙ୍କ ପାଖକୁ ଖବର ପଠାଇଥିବାବେଳେ ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିଲା। ଏ ସମ୍ପର୍କରେ ଆଠଗଡ଼ ଆରକ୍ଷୀ ଉପାଧ୍ୟକ୍ଷ ରବୀନ୍ଦ୍ରନାଥ ମଲ୍ଲିକ କହିଛନ୍ତି, ଆଠଗଡ଼ର ବିଭିନ୍ନ ଅଞ୍ଚଳରେ ସୋମବାର ଦଶହରା ଭସାଣି ଚାଲିଛି। ଗହଳି ଭାଙ୍ଗିବା ପରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ।

Share