ବେଙ୍ଗାଲୁରୁ,୧।୩: କର୍ନାଟକ ସ୍କୁଲଗୁଡ଼ିକରେ ବାର୍ଷିକ ପରୀକ୍ଷା ଚାଲିଛି। ବିଭିନ୍ନ ଜିଲାରେ ହିଜାବ ପରିଧାନ କରିଥିବା ଅନେକ ଛାତ୍ରୀଛାତ୍ର ପରୀକ୍ଷା ଦେଇ ପାରି ନ ଥିବା ବେଳେ ବେଙ୍ଗାଲୁରୁ ସ୍ଥିତ ବିଭିନ୍ନ ସ୍କୁଲ କେବଳ ପରୀକ୍ଷାକୁ ଗୁରୁତ୍ୱ ଦେଉଛନ୍ତି। ହିଜାବ ପିନ୍ଧିଥିବା ଛାତ୍ରୀଙ୍କୁ ମଧ୍ୟ କ୍ଲାସରେ ବସିବାକୁ ଅନୁମତି ଦେଉଛନ୍ତି ସ୍କୁଲ ଅଧିକାରୀ।
କର୍ନାଟକର ପ୍ରାଥମିକ ଓ ମାଧ୍ୟମିକ ସ୍କୁଲର ଆସୋସିଏଟ୍ ମ୍ୟାନେଜମେଣ୍ଟ୍ସର ସାଧାରଣ ସଚିବ ଡି ଶଶିକୁମାର କହିଛନ୍ତି, କର୍ନାଟକ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ କିଛି ସ୍କୁଲ ପାଳନ କରୁଛନ୍ତି। ଅନ୍ୟ ସ୍କୁଲ ବିବାଦରୁ ଦୂରେଇ ରହିବା ପାଇଁ ହିଜାବ ପିନ୍ଧିଥିବା ଛାତ୍ରୀଙ୍କୁ କ୍ଲାସରେ ଯୋଗଦେବାକୁ ଅନୁମତି ଦେଉଛନ୍ତି।
“ବେଙ୍ଗାଲୁରୁରେ ହିଜାବକୁ ନେଇ କୌଣସି ବଡ଼ ବିବାଦ ନାହିଁ। କିଛି ସ୍କୁଲ ଏହି ବିବାଦରୁ ଦୂରେଇ ରହିବା ପାଇଁ ହିଜାବ ପିନ୍ଧିବା ନ ପିନ୍ଧିବା ନିଷ୍ପତ୍ତି ଛାତ୍ରୀଙ୍କ ଉପରେ ଛାଡ଼ି ଦେଇଛନ୍ତି। ହିଜାବ ବିବାଦ କାରଣରୁ ହୋଇଥିବା ଶିକ୍ଷାର କ୍ଷତି ପୂରଣ କରିବା ଉପରେ ସେମାନେ ଧ୍ୟାନ ଦେଉଛନ୍ତି। ଏହା ଶିକ୍ଷାନୁଷ୍ଠାନ ଓ ଅଭିଭାବକଙ୍କ ମଧ୍ୟରେ ବୁଝାମଣା ଯୋଗୁ ସମ୍ଭବ ହୋଇପାରିଛି” ବୋଲି ସେ କହିଛନ୍ତି।