ବ୍ରହ୍ମପୁରରେ ୩୧ ପ୍ରତିଶତ ଲୋକଙ୍କଠାରେ ଆଣ୍ଟିବଡ଼ି ବିକଶିତ ହୋଇଛି

ଭୁବନେଶ୍ୱର, ୧୩।୮(ବ୍ୟୁରୋ)-ଗ୍ରାମର ଏକ ତୃତୀୟାଂଶ ଲୋକଙ୍କ ନିିକଟରେ ଆଣ୍ଟିବଡ଼ି ସୃଷ୍ଟି ହୋଇଛି। ନିକଟରେ ବ୍ରହ୍ମପୁରରେ ଶେଷ ହୋଇଥିବା ସେରୋ ସର୍ଭିଲାନ୍ସ ସର୍ଭେରୁ ଏହା ଜଣାପଡ଼ିଛି। ବ୍ରହ୍ମପୁରରେ ଗତ ୩ରୁ ୭ ତାରିଖ ମଧ୍ୟରେ ହୋଇଥିବା ସେରୋ ସର୍ଭେ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଥିବାବେଳେ ସେଥିରୁ ଏହା ସ୍ପଷ୍ଟ ହୋଇଥିବା ଆରଏମ୍‌ଆରସି ନିର୍ଦ୍ଦେଶିକା ସଂଘମିତ୍ରା ପତି କହିଛନ୍ତି।
ଗୁରୁବାର ଅପରାହ୍ନରେ ଭୁବନେଶ୍ୱରସ୍ଥ ଗୀତଗୋବିନ୍ଦ ସଦନରେ ରାଜ୍ୟବାସୀଙ୍କୁ ସୂଚନା ଦେଇ ସଂଘମିତ୍ରା କହିଛନ୍ତି, ବ୍ରହ୍ମପୁରରେ ୫ଟି ଟିମ୍‌ ଦ୍ୱାରା ସେରୋ ସର୍ଭେ କରାଯାଉଥିଲା। ସମ୍ପ୍ରଦାୟ ତଥା ବିଭିନ୍ନ ଶ୍ରେଣୀର ଲୋକଙ୍କଠାରୁ ଏହି ଟିମ୍‌ ନମୁନା ସଂଗ୍ରହ କରିଥିଲେ। ୫ ବସ୍ତି ଓ ବହୁ ସମ୍ବେଦନଶୀଳ ଅଞ୍ଚଳରୁ ଏହି ନମୁନା ସଂଗୃହୀତ କରାଯାଇଥିବାବେଳେ ମୋଟ୍‌ ୨୮୩୦ ଲୋକଙ୍କ ଆଣ୍ଟିବଡି ଟେଷ୍ଟ କରାଯାଇଥିଲା। ଏଥିମଧ୍ୟରୁ ୩୧% ଲୋକଙ୍କର ଶରୀରରେ ଆଣ୍ଟିବଡି ସୃଷ୍ଟି ହୋଇଛି। ଓ୍ବାର୍ଡସ୍ତରରେ ସଂଗୃହୀତ ହୋଇଥିବା ନମୁନା ମଧ୍ୟରୁ କିଛି ୱାର୍ଡରେ ୭୦ ଓ କିଛି ୱାର୍ଡରେ ୬୦ ପ୍ରତିଶତ ଲୋକଙ୍କ ମଧ୍ୟରେ ଆଣ୍ଟିବଡି ସୃଷ୍ଟି ହୋଇଥିବା ସେ କହିଛନ୍ତି।
ସେହିପରି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଆରଏମ୍‌ଆରସି ଦ୍ୱାରା ବିଭିନ୍ନ ଜିଲାରେ ସେରୋ ସର୍ଭିଲାନ୍ସ ହୋଇଛି। ପ୍ରଥମେ ପୁରୀ, ପରେ ଭୁବନେଶ୍ୱର ଓ ବର୍ତ୍ତମାନ ଗ୍ରାମରେ ପ୍ରଥମ ପର୍ଯ୍ୟାୟ ସର୍ଭେ ସରିଛି। ବର୍ତ୍ତମାନ କଟକ ବଡ଼ମ୍ବା ଓ ନରସିଂହପୁରରେ ସର୍ଭେ ଜାରି ରହିଛି। ଆଗକୁ କଟକ ସହର, ଗଜପତି ଓ ରାଉରକେଲାରେ ସର୍ଭେ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।

Share