ଭିତରକନିକାରେ ଶୁଭିଲାଣି ଦେଶୀୟ ପକ୍ଷୀଙ୍କ କଳରବ

ରାଜନଗର,୪ା୭(ଡି.ଏନ.ଏ.): ବିଶ୍ୱପ୍ରସିଦ୍ଧ ଭିତରକନିକାରେ ଏବେ ଦେଶୀୟ ପକ୍ଷୀଙ୍କ ଭିଡ଼ ବଢ଼ିବାରେ ଲାଗିଛି। ଦେଶରେ ମୌସୁମୀ ବାୟୁ ସକ୍ରିୟ ହେବା ପରେ ଭିତରକନିକାରେ ଦେଶୀୟ ପକ୍ଷୀଙ୍କ ଭିଡ଼ ଜମିଛି। ଭିତରକନିକାର ମଠଆଡିଆ ଓ ଲକ୍ଷ୍ମୀପ୍ରସାଦଡିଆରେ ଏବେ ପ୍ରାୟ ୬୦ ହଜାରରୁ ଊର୍ଦ୍ଧ୍ୱ ପକ୍ଷୀ ଭିଡ଼ ଜମାଇ ସାରିଲେଣି। ଦେଶୀୟ ପକ୍ଷୀଙ୍କ କାକଳିରେ ଭିତରକନିକା ଏବେ କୋଳାହଳମୟ ହୋଇ ଉଠିଛି।

ଭିତରକନିକାକୁ ଜୁନ୍‌ ଶେଷ ଭାଗରୁ ଦେଶୀୟ ପକ୍ଷୀମାନଙ୍କ ଆଗମନ ହୋଇଥାଏ। ମା’ପକ୍ଷୀମାନେ ବସାରେ ଅଣ୍ଡାଦେଇ ଛୁଆ ଫୁଟାଇବା ପରେ ଛୁଆଙ୍କୁ ସାଥିରେ ଧରି ଅକ୍ଟୋବର ଶେଷ ସୁଦ୍ଧା ସେମାନଙ୍କ କର୍ମଭୂମିକୁ ଫେରି ଯାଇଥାନ୍ତି। ମୌସୁମୀର ଆଗମନରେ ଏହି ପକ୍ଷୀମାନେ ଖାଦ୍ୟ ସଂଗ୍ରହ, ବଂଶବିସ୍ତାର ଓ ଭିତରକନିକାରେ ରହିଯାଇଥିବା ବିଦେଶାଗତ ପକ୍ଷୀମାନଙ୍କ ସହ ବନ୍ଧୁତ୍ୱ ସ୍ଥାପନ ପାଇଁ ଏଠାକୁ ଛୁଟି ଆସନ୍ତି। ଜଳବାୟୁର ପରିବର୍ତ୍ତନ ଓ ବିଶ୍ୱତାପନର ପ୍ରଭାବ ଯୋଗୁ ଭିତରକନିକାର ଜୈବବିବିଧତା ପ୍ରଭାବିତ ହୋଇଛି। ଫଳରେ କ୍ରମାଗତ ଭାବେ ଭିତରକନିକାରେ ଦେଶୀୟ ପକ୍ଷୀ ଠିକଣା ବଦଳାଇବାରେ ଲାଗିଛନ୍ତି। ପୂର୍ବରୁ ବଗଗହନରେ ଦେଶୀୟ ପକ୍ଷୀମାନେ ଭିଡ଼ ଜମାଉଥିଲେ। ଗତ ୫ ବର୍ଷ ହେଲା ବଗଗହନଠାରୁ ୩ କିମି ଦୂର ମଠଆଡିଆରେ ଦେଶୀୟ ପକ୍ଷୀଙ୍କ କଳରବ ଶୁଭୁଛି।

୨୦୧୯ରୁ ମଠଆଡିଆ ସହିତ ଲକ୍ଷ୍ମୀପ୍ରସାଦଡିଆ ଓ ଦୁର୍ଗାପ୍ରସାଦଡିଆରେ ଦେଶୀୟ ପକ୍ଷୀମାନେ ଭିଡ଼ ଜମାଉଛନ୍ତି। ଗତବର୍ଷ ୧୦ ପ୍ରକାରର ୯୭,୮୬୬ ଦେଶୀୟ ପକ୍ଷୀ ଭିତରକନିକାରେ ଗଣନା କରାଯାଇଥିଲା। ଚଳିତବର୍ଷ ମୌସୁମୀ ଆରମ୍ଭରୁ ଅଧିକ ସଂଖ୍ୟାରେ ପକ୍ଷୀ ଭିତରକନିକାକୁ ଆସିବାରେ ଲାଗିଛନ୍ତି। ଭିତରକନିକାର ମଠଆଡିଆ ଓ ଲକ୍ଷ୍ମୀପ୍ରସାଦଡିଆରେ ଗେଣ୍ଡାଳିଆ, ପାଣିକୁଆ, ଖଇରା, ଅଞ୍ଜନା, ରାଣୀବଗ, ମଝିଆ ବଗ, ବଡବଗ, କାପରଖାଇ, ଅନ୍ଧାରିଆବଗ, ମାଛରଙ୍କା ପ୍ରଭୃତି ୧୦ ପ୍ରକାରର ଦେଶୀୟ ପକ୍ଷୀ ଭିଡ ଜମାଇଛନ୍ତି।

Share