ଭୁବନେଶ୍ୱରରେ ୫୦% ଲୋକଙ୍କ ଦେହରେ ସୃଷ୍ଟି ହୋଇଛି ଆଣ୍ଟିିବଡ଼ି

ଭୁବନେଶ୍ୱର, ୩୦ା୧୦(ବ୍ୟୁରୋ)- ଭୁବନେଶ୍ୱରରେ ୫୦% ଲୋକଙ୍କ ଦେହରେ ଆଣ୍ଟିବଡ଼ି ସୃଷ୍ଟି ହୋଇଛି। ତୃତୀୟ ପର୍ଯ୍ୟାୟ ସେରୋଲୋଜିକାଲ ସର୍ଭେ ତଥ୍ୟରୁ ଏହା ଜଣାପଡ଼ିଛି ବୋଲି ଆର୍‌ଏମ୍‌ଆର୍‌ସି ନିର୍ଦ୍ଦେଶିକା ଡାକ୍ତର ସଂଘମିତ୍ରା ପତି ଶୁକ୍ରବାର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଭୁବନେଶ୍ୱରରେ ବର୍ତ୍ତମାନ ୫୦ ପ୍ରତିଶତ ଲୋକଙ୍କୁ କରୋନା ସଂକ୍ରମଣ ହୋଇସାରିଲାଣି। ଏହା ସଂସ୍ପର୍ଶରେ ଆସିବା ପରେ ଲୋକଙ୍କ ଦେହରେ ଆଣ୍ଟିବଡ଼ି ବିକଶିତ ହୋଇଛି। ଜୁଲାଇ ୧୧ରେ ହୋଇଥିବା ପ୍ରଥମ ସର୍ଭେରେ ମାତ୍ର ୧.୪୨% ଲୋକଙ୍କଠାରେ ଆଣ୍ଟିବଡି ଥିଲା। ଅଗଷ୍ଟ ୨୮ ଦ୍ୱିତୀୟ ସର୍ଭେରେ ୫.୧% ଲୋକଙ୍କ ଦେହରେ ଆଣ୍ଟିବଡି ସୃଷ୍ଟି ହୋଇଥିଲା। ଅକ୍ଟୋବର ୧୬ରୁ ୧୮ ମଧ୍ୟରେ ହୋଇଥିଲା ୩ୟ ପର୍ଯ୍ୟାୟ ସେରୋ ସର୍ଭେ ୨୫ଟି ୱାର୍ଡରୁ ୧୪୦୩ ସାମ୍ପଲକୁ ନିଆଯାଇ ପରୀକ୍ଷା କରାଯାଇଥିଲା। ୫୫ ନମ୍ବର ୱାର୍ଡରୁ ସର୍ବନିମ୍ନ ୨୮% ଓ ୧୬ରୁ ସର୍ବାଧିକ ୬୩% ମିଳିଥିଲା। ଏହା ମଧ୍ୟରୁ କେବେଳ ୫ଟି ୱାର୍ଡରେ ଆଣ୍ଟିବଡି ବିକଶିତ ଲୋକଙ୍କ ସଂଖ୍ୟା ୬୦%ରୁ ଅଧିକ ରହିଛି। ସର୍ଭେ ଅନୁସାରେ ଏପର୍ଯ୍ୟନ୍ତ ଆହୁରି ୫୦% ଲୋକଙ୍କୁ କରୋନା ସଂକ୍ରମଣ ହୋଇନାହିଁ। ଏମାନଙ୍କ ଦେହରେ ଆଣ୍ଟିବଡ଼ି ବିକଶିତ କରିନାହିଁ। ତେଣୁ ଏହି ଲୋକେ ଏବେ ବି ସମ୍ବେଦନଶୀଳ ଅବସ୍ଥାରେ ଅଛନ୍ତି। ସେଥିପ୍ରତି ସେମାନେ ଅଧିକ ଯତ୍ନବାନ ହୋଇ ସାମାଜିକ ଦୂରତ୍ୱ ଓ ମାସ୍କ ଆଦି ନିୟମକୁ କଡ଼ାକଡ଼ି ପାଳନ କରିବାକୁ ଡାକ୍ତର ପତି ସୂଚନା ଦେଇଛନ୍ତି।

Share