ନୂଆଦିଲ୍ଲୀ,୨୮।୬: ଗତ ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍ ଗୋଟିଏ ଦିନରେ ଦେଶରେ ସର୍ବାଧିକ ୧୯,୯୦୬ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହେବା ଏବେ ଚିନ୍ତା ବଢାଇଛି। ଗୋଟିଏ ଦିନରେ ଏହା ସର୍ବାଧିକ ହୋଇଥିବା ବେଳେ ଏବେ ଦେଶ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫,୨୮,୮୫୯ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ ୨,୦୩,୦୫୧ ଜଣଙ୍କ ଚିକିତ୍ସା ଚାଲିଥିବା ବେଳେ ୩,୦୯,୭୧୩ ଜଣ ସୁସ୍ଥ ହୋଇ ସାରିଲେଣି। କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ମିଳିଥିବା ସୂଚନାରୁ ଜଣାପଡିଛି କି ଗତ ୨୪ ଘଣ୍ଟାରେ ୪୧୦ ଜଣଙ୍କ ମୃତ୍ୟୁ ହେବା ସହ ଏବେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧୬,୦୯୫ରେ ପହଞ୍ଚିଛି। ମହାରାଷ୍ଟ୍ରର ସ୍ଥିତି ଏବେବି ଉଦ୍ବେଗଜନକ ରହିଛି। ଏଠାରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୫୯,୧୩୩ରେ ପହଞ୍ଚିଥିବା ବେଳେ ରାଜଧାନୀ ଦିଲୀରେ ୮୦,୧୮୮ ଜଣ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇ ସାରିଲେଣି। ଶନିବାର ୨,୩୧,୦୯୫ ନମୁନା ପରୀକ୍ଷା କରାଯାଇଥିବା ବେଳେ ୨୭ ଜୁନ୍ ସୁଦ୍ଧା ଦେଶରେ ମୋଟ ୮୨,୨୭,୮୦୨ଜଣଙ୍କର ନମୁନା ପରୀକ୍ଷା ସରିଲାଣି ବୋଲି କହିଛି ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ(ଆଇସିଏମ୍ଆର୍)।