ରାସ୍ତା ନିର୍ମାଣ ହେବାର କିଛି ମିନିଟ୍‌ ନ ହେଉଣୁ ଚୋରାଇ ନେଇଗଲେ ଗ୍ରାମବାସୀ; ଦୁଇ ଘଣ୍ଟା ପରେ ଠିକାଦାର ଫେରିବା ପରେ ଉଡିଗଲା ହୋସ…

ସାଧାରଣତଃ ଚୋରିକୁ ନେଇ ଚକିତ କଲାଭଳି ଘଟଣା ଶୁଣିବାକୁ ନଚେତ ଦେଖିବାକୁ ମିଳିଥାଏ। କାରଣ ସବୁଥିରେ ଚୋର ବେଶ ଚତୁରତାର ସହ ଚୋରି କରିଥାଏ। ଏବେ ସେଭଳି ଏକ ଘଟଣାକ୍ରମରେ ଗ୍ରାମବାସୀମାନେ ପୁରା ରାସ୍ତାକୁ ଚୋରି କରି ନେଇଯାଇଥିବା ଘଟଣା ସାମ୍ନାକୁ ଆସିଛି। ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟି ସତ। କାରଣ ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକେ ମୁଣ୍ଡରେ ହାତ ଦେଉଛନ୍ତି।
ରିପୋର୍ଟ ଅନୁଯାୟୀ, ବିହାରର ଜହାନାବାଦର ମଖଦୁମପୁରର ଔଦାନ ବିଘା ଗାଁରେ ମୁଖ୍ୟମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଅନୁଯାୟୀ ଏକ ରାସ୍ତା ନିର୍ମାଣ ହେବାର ଥିଲା। ଏନେଇ ଅନୁମତି ମିଳିବା ପରେ ଗ୍ରାମରେ କଂକ୍ରିଟ ସଡ଼କ ନିର୍ମାଣର କାମ ଆରମ୍ଭ ହୋଇଥିଲା।ଗାଁରେ କେଉଁଠାରେ କଂକ୍ରିଟ ଢ଼ଳାଯିବ ଉକ୍ତ ସ୍ଥାନ ଚିହ୍ନଟ ହୋଇଥିଲା। ଠିକାଦାର ମଧ୍ୟ ଉପସ୍ଥିତ ରହି ରାସ୍ତାକାମ ତଦାରଖ କରିଥିଲେ। କିଛି ସମୟ ପରେ ରାସ୍ତା ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇଥିଲା। ଏହାପରେ ଠିକାଦାର ଏବଂ ମଜୁରିଆ ଚାଲିଯାଇଥିଲେ। ଏହା ପରେ ଆରମ୍ଭ ହୋଇଥିଲା ଚୋରିର ଖେଳ।
ଭାଇରାଲ ଭିଡିଓରୁ ଜଣାପଡ଼ୁଛି ଯେ, ଗ୍ରାମବାସୀମାନେ ପ୍ରଥମେ ପାଣି ପକାଇ କଂକ୍ରିଟକୁ ହାଲ୍‌କା କରିଥିଲେ। ପରେ ଘରୁ ବଡ଼ ବଡ଼ ବାସନ ଆଣି ବୁହାଇ ନେଇଯାଇଥିଲେ। କିଛି ସମୟପରେ ରାସ୍ତା ଉପରୁ ସବୁତକ କଂକ୍ରିଟ ଉଠିଯାଇଥିଲା। ଦୁଇଘଣ୍ଟା ପରେ  ଠିକାଦାର ସେଠାକୁ ଫେରିବା ପରେ ଯାହା ଦେଖିଲେ ତାଙ୍କ ହୋସ ଉଡିଯାଇଥିଲା। ଯେଉଁ ରାସ୍ତାକୁ ନିର୍ମାଣ କରି ଯାଇଥିଲେ ତାହା ନ ଥିବା ଦେଖି ସେ ବିଶ୍ୱାସ କରିପାରୁ ନ ଥିଲେ।
ରାସ୍ତାକୁ ଚୋରି କରିବାର ଏହି ଭିଡିଓ ସୋସିଆଲ ମିଡିଆର ଭିନ୍ନ ଭିନ୍ନ ପ୍ଲାଟଫର୍ମରେ ଶେୟାର କରାଯାଉଛି। ଏଥିରେ ଲୋକେ ମଜାଦାର ପ୍ରତିକ୍ରିୟା ଦେଉଛନ୍ତି।
ଆପଣ ବି ଦେଖନ୍ତୁ

Share