ବିଜେଡିରେ ବଢ଼ୁଛି କନ୍ଦଳ

ପାରାଦୀପ/ କୁଜଙ୍ଗ, (ଶରତ ରାଉତ/ମନୋଜ ପ୍ରଧାନ),୧୨ା୯: ସାଧାରଣ ନିର୍ବାଚନରେ ପାରାଦୀପ ନିର୍ବାଚନ ମଣ୍ଡଳୀରେ ବିଜେଡିର ପରାଜୟକୁ ଅନେକେ ନେତା ଓ କର୍ମୀ ଗ୍ରହଣ କରିପାରୁନାହାନ୍ତି। ଗତ ୩ମାସ ମଧ୍ୟରେ ବିଜେଡି ସମର୍ଥିତ କେତେକ ସରପଞ୍ଚ ଓ ସମିତି ସଭ୍ୟ ଦଳ ଛାଡ଼ି ଭାଜପାକୁ ଚାଲି ଯାଇଥିବାବେଳେ ଦଳୀୟ ନେତାଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜାରୀ ରହିଛି। ଫଳରେ ଦିନକୁ ଦିନ ଦଳୀୟ କନ୍ଦଳ ବଢୁଥିବା ଚର୍ଚ୍ଚା ହେଉଛି।
କୁଜଙ୍ଗ ବ୍ଲକରେ କେତେକ ସରପଞ୍ଚ ଓ ସମିତିସଭ୍ୟ ଭାଜପାକୁ ଯିବା ପରେ କେଉଁ ମୁହୂର୍ତ୍ତରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ପଦ ଦଳ ହାତରୁ ଖସିଯିବା ଆଶଙ୍କା କରି ନିକଟରେ କେତେଜଣ କର୍ମୀ କିଛି ସମିତି ସଭ୍ୟଙ୍କୁ ଧରି ପୁରୀ, କୋଣାର୍କ ବୁଲାଇବା ସାଙ୍ଗକୁ ଏକାଠି ରହିବାକୁ ଶପଥ ନେଇଥିଲେ। ସପ୍ତାହେ ପରେ ପୁଣି ବୁଧବାର କୁଜଙ୍ଗଠାରେ ବୈଠକକୁ ନେଇ ଦଳ ଭିତରେ ଭିନ୍ନ ମତ ପ୍ରକାଶ ପାଇଛି। ଏଥିରେ ଦଳର ପରାଜୟ ସମ୍ପର୍କରେ ସମୀକ୍ଷା ନ ହୋଇ କେବଳ ଅଧ୍ୟକ୍ଷା ପଦ ବଞ୍ଚାଇ ରଖିବା ପାଇଁ ଆଲୋଚନା ହୋଇଥିଲା। ବୈଠକରେ ସଂଖ୍ୟାଧିକ ନିର୍ବାଚିତ ପ୍ରତିନିଧି, ଦଳୀୟ କାର୍ଯ୍ୟକର୍ତ୍ତା ଓ ଛାମୁଆ କର୍ମୀଙ୍କ ଅନୁପସ୍ଥିତି ଭିନ୍ନ ବାର୍ତ୍ତା ଦେଇଛି।
ବୈଠକକୁ ନ ଯିବା ସମ୍ପର୍କରେ ଜିଲା ବିଜେଡି ଉପସଭାପତି ପୀତାମ୍ବର ତରାଇ କହିଛନ୍ତି, ଦଳରେ ନେତୃତ୍ୱ ନେବା ପାଇଁ ଛକାପଞ୍ଝା ଖେଳ ଦଳକୁ ଦୁର୍ବଳ କରୁଛି। ବ୍ଲକ ସଭାପତି ନରେନ୍ଦ୍ର ପରିଡ଼ା ବୈଠକକୁ ଡକାଯାଇ ନ ଥିବାରୁ ଏଥିରୁ ଦୂରେଇ ରହିଲ ବୋଲି କହିଛନ୍ତି। ବୈଠକରେ ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ ଓ ବାପି ସର୍ଖେଲ ଉପସ୍ଥିତ ଥିଲେ। ପୂର୍ବତନ ବିଧାୟକ ରାଉତରାୟଙ୍କୁ ପଚାରିବାରୁ ଏ ବୈଠକ ପ୍ରଫୁଲ୍ଲ ପରିଡ଼ା ଡାକିଥିଲେ। ଏଥିରେ ବ୍ଲକ ପ୍ରଶାସନ ଓ ପୋଲିସର ବେଆଇନ କାର୍ଯ୍ୟ ସମ୍ପର୍କରେ ଆଲୋଚନା ହୋଇଛି। ଆଗକୁ କିପରି ମୁକାବିଲା କରାଯାଇ ସଙ୍ଗଠନକୁ ମଜଭୁତ କରାଯିବ ସେନେଇ ଆଲୋଚନା କରାଯାଇଛି। ଛାମୁଆ କର୍ମୀମାନଙ୍କ ଅନୁପସ୍ଥିତି ସମ୍ପର୍କରେ ସମ୍ବିତ କହିଥିଲେ, ଖୁବ୍‌ ଶୀଘ୍ର ଆନୁଷ୍ଠାନିକ ଭାବେ ଏକ ବୈଠକ ଡକାଯିବ।
ପାରାଦୀପରେ ପୂର୍ବତନ ବିଧାୟକ ସମ୍ବିତ ରାଉତରାୟଙ୍କ ୨ଟି ବୈଠକ ପରେ ବୁଧବାର ସାରେ ନଗର ସଭାପତି ତଥା ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ ଦଳର ସାଙ୍ଗଠନିକ ବୈଠକ କରିଛନ୍ତି। ସ୍ଥାନୀୟ ମଧୁବନସ୍ଥ ଶ୍ରମିକ ଭବନରେ ନଗର ସଭାପତି ବସନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପୂର୍ବତନ ଏମ୍‌ପି ଡା. କୁଳମଣି ସାମଲ, ଦଳର ରାଜ୍ୟ ସମ୍ପାଦକ ଇଂ. ପ୍ରମୋଦ କିଶୋର ଜେନାଙ୍କ ସମେତ ୧୧ କାଉନ୍‌ସିଲର, ଅନ୍ୟ ଦଳୀୟ କର୍ମୀମାନେ ଉପସ୍ଥିତ ଥିଲେ। ବୈଠକରେ ଅଧିକାଂଶ କର୍ମୀ ଦଳର ପରାଜୟ ସମ୍ପର୍କରେ ଆଲୋଚନା କରିଥିଲେ। ୨୪ବର୍ଷ ଶାସନରେ ଅନେକ ବିକାଶ ଓଡ଼ିଶା କରିଛି। ସବୁ ପରେ ଆମେ କାହିଁକି ହାରିଲୁ ତାହା ସମୀକ୍ଷା କରିବା ବୋଲି ପୂର୍ବତନ ଏମ୍‌ପି ସାମଲ କହିଥିଲେ। କେତେଜଣ ଖଳ ଲୋକ ଦଳ ବିରୋଧରେ କାମ କରିଥିଲେ, ଯେଉଁଥିପାଇଁ ଏହା ସମଗ୍ର ପ୍ରଭାବ ଦଳ ଉପରେ ପଡିଥିଲା। ତେବେ ଯାହା ହେଲା ତାକୁ ଭୁଲି ଆଗକୁ ଯିବାକୁ ପଡ଼ିବ ବୋଲି ନଗର ସଭାପତି ବିଶ୍ୱାଳ କହିଥିଲେ। ସୂଚନାଯୋଗ୍ୟ, ସାଧାରଣ ନିର୍ବାଚନ ପରେ ବସନ୍ତଙ୍କୁ ଅଣଦେଖା କରି ବିଧାୟକ ସମର୍ଥକଙ୍କୁ ନେଇ ଥରେ ବନ୍ଧୁ ମିଳନ କରିଥିଲେ। ଥରେ ଦଳ ପକ୍ଷରୁ ଥାନା ଘେରାଉ କରାଯାଇଥିଲା। ସେତେବେଳେ ସମ୍ବିତ ଆକ୍ଷେପ କରିଥିଲେ। ଢୋଲ ଭିତରେ ମୂଷା ଯୋଗୁ ଦଳ ହାରିଲା। ଏବେ ମୂଷାଙ୍କୁ ଚିହ୍ନଟ କରାଯିବ। ବୁଧବାର ବୈଠକରେ ଏହି ପ୍ରସଙ୍ଗକୁ ନେଇ ଅଧିକାଂଶ କର୍ମୀ ସମାଲୋଚନା କରିଥିଲେ।

Share