ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏଇ ପର୍ବରେ ଲୋକେ ନୂଆଁଲୁଗା ପନ୍ଧିଥାନ୍ତି। ନୂଆଁଲୁଗା ପିନ୍ଧି ପରିବାରର ମୁରବି ଦେବଦେବୀ ଓ ପିତୃପୁରୁଷଙ୍କୁ ଚୁରାକୁଁଡା’ ଅର୍ପଣ କରିବାର ବିଧି କୋଉ କାଳରୁ ରହିଆସିଛି। ଏହାସହିତ ନୂଆଁଖାଇରେ ପରିବାର ସମସ୍ତେ ନୂଆଁଲୁଗା ପରିଧାନ କରି ନୂଆଁ ଖାଇବା ସହ ଭେଟ୍ଘାଟ ହୋଇଥାନ୍ତି। ହେଲେ ଗଲା ବଛରଠୁ ବଜାରରେ ନୂଆଁଲୁଗାର ଚାହିଦା କରୋନା ପାଇଁ କମିଯାଇଛି। ଚାହିଦା କମିଛି ତ ବିକ୍ରି କମିଛି। ତା ସାଙ୍ଗକୁ କମିଛି କାରିଗରଙ୍କ ମଜୁରି। ସାଉକାର ପାଖରେ ମଜୁରି ବି ବାକି। ଗଲାବର୍ଷଠୁ ସଙ୍କଟରେ ଅଛନ୍ତି ସଁପୁର ସୂତାର କାରିଗର। ନାଁ ନୀତିକୁ ବୌଦ୍ଧ ଜିଲା ଗବଜୋର ଗାଁର ହଜାରେ ଉପରେ ବୁଣାକାର ପାଳନ କରୁଛନ୍ତି
ନୁଆଁଖାଇ। ହେଲେ ନୂଆଁଖାଇର ଉସନାକୀ ନାଇଁ।
ସବୁ ବଢିଛି, ମଜୁରି ଛିଡିଛି
ବଜାରରେ ସବୁ ବଢିଛି। ଚାଉଳଗଉଳ, ଲୁଣତେଲ ସବୁକିଛି। ବୁଣାକାର ସୁମନ୍ତ ମେହେର କହନ୍ତି, ଦଶଟଙ୍କାର ତେଲ ଗୁଟେ କାନେ ପଶିଯିବା। ଇ ମହର୍ଗ ସମିଆରେ ସବୁ ଜିନିଷ ବଢିଥିଲେ ବି ବୁଣାକାରର ବଜୁରି ଛିଡିଛି। କେବଳ ସୁମନ୍ତ ନୁହନ୍ତି, କୋଦଣ୍ଡ ମେହେର ଓ ଅନ୍ୟ ବୁଣାକାରଙ୍କ କହିବା କଥା ହେଲା ଯୋଉ ଶାଢି ବଜାରରେ ୭ ହଜାର ଟଙ୍କା ବିକ୍ରି ଥିଲା ସେଇ ଶାଢୀ ଏବେ ଛଅ ହଜାର ଟଙ୍କା। ଲୋକଙ୍କ ଚାହିଦା କମିଛି ସତ, ତା ସାଙ୍ଗକୁ ବଢିଛି ପାଟସୂତା ଆଉ ରଙ୍ଗର ଦର। ସେଥିପାଇଁ ସିଧାସଳଖ ମଜୁରି ଉପରେ ମାଡ ପଡୁଛି। ଆଗ ଯେଉଁ ଶାଢୀରେ ୨ ହଜାରରୁ ପଚିଶ ଶହ ମଜୁରି ମିଳୁଥିଲା ସେଇ ଶାଢି ଉପରେ ଏବେ ଷୋଳଶହଠୁ ଦୁଇ ହଜାର ମଜୁରି। ଯାହାର ପାଞ୍ଚ ପରାଣୀ କୁଟମ୍ବ ସେଇ ପରିବାର ଚଳିବା ମୁସ୍କିଲ ହୋଇ ପଡୁଛି। ନୂଆଁଖାଇ ବଜାର ବି ମାନ୍ଦା। କରୋନା ସମିଆ ଆଗର କମାଣୀ ନାଇଁ। ବୁଣାକାର
ପରିବାର ପାଇଁ ନୂଆଁଖାଇ ଫିକା ପଡିଯାଉଛି।
କେବେ ଫେରିବ ସେଇ ରଙ୍ଗିନ ସମିଆ
ଏଇ ଗାଁର ତନ୍ତୁରୁ ଦେଶ ବିଦେଶକୁ ଯାଉଥିଲା କେତେ ରଙ୍ଗୀନ ପାଟ ଶାଢି। ବମକେଇ, ଫିରା ମିନିବୁଟା ବମକେଇ। ପୁଣି ସମ୍ପଲପୁରୀ ପାଟର ପେପର ବାନ୍ଧନ୍, ଧଡି ସପଟା, ବଡି ସପଟା। ସଁପୁର ସୂତାରେ ପୁଣି କେତେ ମୟୁର, କଣ୍ଡେଇଙ୍କ ଛବି ଓ ଭାତିଭାତି ଡିଜାଇନ ଫୁଟଉଥିଲା ଏଇ ଗାଁର ବୁଣାକାର। ହେଲେ ଏବେ ତାର ନିଜ ଛୁଆଙ୍କ ଦିହକୁ କନା ନିଅଣ୍ଟ। ବହୁତ ଦୁଃଖର ସହ ବୁଣାକାର ପ୍ରକାଶ ମେହେର ତାଙ୍କ ଛ ବର୍ଷର ଝିଅକୁ ଦେଖେଇ କହନ୍ତି, ମୋର ଛୁଆର ପିନ୍ଧନା ଦେଖନ୍, ଇ ବଛର ନୂଆଁଖଣ୍ଡେ ଘିନି ନାଇଁପାରି। ସାଉକାର ପାଶେ ମଜୁରି ବାକି ପଡିଛେ। ବାଟେଘାଟେ ଧାର ଉଧାର ଚରିଗଲାନ। ବାସ୍ତବରେ ପ୍ରକାଶଙ୍କ ପରି ଅନେକ ବୁଣାକାର କରୋନା ପରବର୍ତ୍ତୀ ଗୋଟେ ସଙ୍କଟଜନକ ସମୟରେ ଗତି କରୁଛନ୍ତି। ପ୍ରାୟ ବୁଣାକାର ସାଉକାରଙ୍କଠାରୁ ସୂତା ଆଣି ଲୁଗା ବୁଣନ୍ତି ଓ ମଜୁରି ଆଣନ୍ତି। ଆଉ ସେଇ ମଜୁରି ଯାହା ଛିଡିଛି ତ ଛିଡିଛି। ଏଇ ନୂଆଁଖାଇରେ ବି ବାକି ପଡିଛି। ଏ ସମ୍ପର୍କରେ ଗାଁର ବର୍ଷୀୟାନ ଡିଜାଇନର ସମାରୁ ମେହେର କୁହନ୍ତି, ଗଲା ଦୁଇ ବଛର ହେଲା କାଏଁ ଠାକରାନୀ ଆଇଲେ ଯେ, ହାତ ବାନ୍ଧିକରି ବସବାର ଅବସ୍ଥା ହେଲାନ। କେଜେ ସୂତାରେ ରଙ୍ଗ ମାଜଲେ ଆଠ ଶହ ହେବା, ତହିଁକେ ସବୁ ବଢିଛେ। କିଏ ଜାନେ କେନ୍ତା ଲୋକ
ଚଲବେ। ହଁ, ଖାଇସନ ବଲି ନୂଆଁ ଖାଇବାର କଥା।
ଜୀଁ ଜାଗିଥିଲେ ବଛରେ
କେବେ ଶେଷ ହେବ କରୋନାର ସମିଆ। କାହା ପାଖରେ ଉତ୍ତର ନାଇଁ। ଗୋଟେ ବଛର ଯାଇ ଆଉ ଗୋଟେ ବଛରକୁ ଭେଟ। ଜୀବନ ଜୀବିକାର ସଂଘର୍ଷରେ ଗଣପର୍ବର ଉସନାକୀ ଫିକା ପଡି ଯାଉଛି। ହେଲେ ବି ଦୂର
ଦୂରାନ୍ତରେ ଥିବା ବୁଣାକାରଙ୍କ ପୁଅ ଗାଁକୁ ଫେରୁଛି।
ରିପୋର୍ଟ: ଆଦିତେଶ୍ୱର ମିଶ୍ର, କଣ୍ଟାମାଳ