Categories: ଜାତୀୟ

ହସ୍ପିଟାଲ ନୁହେଁ ଅକ୍ସିଜେନ ବ୍ୟବସ୍ଥା କରୁଛନ୍ତି ସମ୍ପର୍କୀୟ

ନୂଆଦିଲ୍ଲୀ, ୨୫।୪: ଅସୁସ୍ଥ ବାପାଙ୍କ ଜୀବନ ବଞ୍ଚାଇବା ପାଇଁ ପୁଅ ରଜତ ଆଲଓ୍ବାଲିଆ ଏକ କିଲୋମିଟର ଲମ୍ବା ଧାଡ଼ିରେ ଛିଡ଼ା ହୋଇ ଯୋଗାଡ଼ କରିଛନ୍ତି ୧୦ ଲିଟର ଅକ୍ସିଜେନ ସିଲିଣ୍ଡର। ଜାତୀୟ ରାଜଧାନୀରେ ଗୁରୁତର କୋଭିଡ୍‌ ଆକ୍ରାନ୍ତଙ୍କୁ ହସ୍ପିଟାଲ ଅକ୍ସିଜେନ ଓ ମେଡିସିନ ଯୋଗାଇବାରେ ବିଫଳ ହେଉଥିବାରୁ ନିଜ ଆଡ଼ୁ ଉଦ୍ୟମ କରୁଛନ୍ତି ସେମାନଙ୍କ ସମ୍ପର୍କୀୟ।

ପୂରା ୧୦ ଲିଟର ସିଲିଣ୍ଡର ଆଣିଛି। ମୋ କାନ୍ଧ ଛେଲି ହୋଇଯାଇଛି। ଏକ କିଲୋମିଟର ଲମ୍ବା ଲାଇନରେ ଲାଗିବା ପରେ ମୋତେ ମିଳିଛି ଅକ୍ସିଜେନ ବୋଲି ୩୮ ବର୍ଷୀୟ ଆଲୁଓ୍ବାଲିଆ କହିଛନ୍ତି।

ତାଙ୍କ ୬୫ ବର୍ଷୀୟ ବାପା ଦିଲ୍ଲୀର ମଡେଲ ଟାଉନସ୍ଥିତ ପେଣ୍ଟାମେଡ୍‌ ହସ୍ପିଟାଲର ଆଇସିୟୁରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। କିନ୍ତୁ ମେଡିକାଲରେ ଏବେ ଅକ୍ସିଜେନ ଅଭାବ। ଏଣୁ ମେଡିକାଲ କର୍ତ୍ତୃପକ୍ଷ ଆକ୍ରାନ୍ତଙ୍କ ସମ୍ପର୍କୀୟଙ୍କୁ ଆବଶ୍ୟକୀୟ ବ୍ୟବସ୍ଥା କରିବାକୁ କହିଛନ୍ତି। କେବଳ ଅକ୍ସିଜେନ ପାଇଁ ଆକ୍ରାନ୍ତଙ୍କ ସମ୍ପର୍କୀୟ ସଂଘର୍ଷ କରୁଛନ୍ତି, ତା ନୁହେଁ। ରେମଡେସିଭିର ଇଞ୍ଜେକଶନ ପାଇଁ ପ୍ରକୃତ ମୂଲ୍ୟର ୬ରୁ ୭ ଗୁଣା ଟଙ୍କା ଦେବାକୁ ପଡ଼ୁଛି। ଏହି ଇଞ୍ଜେକଶନର ମୂଲ୍ୟ ୫,୪୦୦ ଟଙ୍କା। କିନ୍ତୁ ମୋତେ ୩୫ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଲା ବୋଲି ଆଲୁଓ୍ବାଲିଆ କହିଛନ୍ତି।

Share