Categories: ଜାତୀୟ

ନୂଆ ମନ୍ତ୍ରିମଣ୍ଡଳର ପ୍ରଥମ ବୈଠକରେ କୋଭିଡ୍‌ ପ୍ୟାକେଜ୍‌ ଘୋଷଣା

ନୂଆଦିଲ୍ଲୀ, ୮।୭: କେନ୍ଦ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପରେ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିଲା ପ୍ରଥମ ବୈଠକ। ଏଥିରେ କୋଭିଡ୍‌ ପ୍ୟାକେଜ୍‌ ଘୋଷଣା କରାଯିବା ସମେତ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ମହାମାରୀ ମୁକାବିଲା ନିମନ୍ତେ ସ୍ବାସ୍ଥ୍ୟ ଭିତ୍ତିଭୂମିର ବିକାଶ ଲାଗି ୨୩,୧୨୩ କୋଟି ଟଙ୍କାର କୋଭିଡ୍‌ ପାଣ୍ଠି ଘୋଷଣା କରାଯାଇଛି।
କ୍ୟାବିନେଟ ବୈଠକ ପରେ ଗଣମାଧ୍ୟମକୁ ସମ୍ବୋଧିତ କରି ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ କହିଛନ୍ତି, ଉକ୍ତ ପ୍ୟାକେଜ୍‌ ୨୦୨୨ ମାର୍ଚ୍ଚ ପର୍ଯ୍ୟନ୍ତ ଆଗାମୀ ୯ ମାସ ମଧ୍ୟରେ କାର୍ଯ୍ୟକାରୀ କରାଯିବ। ଏହା କେନ୍ଦ୍ର ସରକାରଙ୍କର ଦ୍ୱିତୀୟ ପର୍ଯ୍ୟାୟ କୋଭିଡ୍‌ ପ୍ୟାକେଜ୍‌। ପୂର୍ବରୁ ଦେଶରେ କୋଭିଡ୍‌ ହସ୍ପିଟାଲ ଓ ସ୍ବାସ୍ଥ୍ୟକେନ୍ଦ୍ର ଲାଗି ୧୫,୦୦୦ କୋଟି ଟଙ୍କା ଦିଆଯାଇଥିଲା। ନୂଆ ପ୍ୟାକେଜ୍‌ରେ କେନ୍ଦ୍ର ସରକାର ୧୫,୦୦୦ କୋଟି ଏବଂ ରାଜ୍ୟ ସରକାର ୮୦୦୦ କୋଟି ଟଙ୍କା ଯୋଗାଇଦେବେ। ସ୍ବାସ୍ଥ୍ୟସେବା ଭିତ୍ତିଭୂମି, ପ୍ରାଥମିକ ତଥା ଜିଲା ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକର ବିକାଶ ଲାଗି ଏହି ଯୋଜନା ମିଳିତ ଭାବେ ଦେଶର ସମସ୍ତ ୭୩୬ଟି ଜିଲାରେ କାର୍ଯ୍ୟକାରୀ କରାଯିବ। ଏହାଦ୍ୱାରା ପ୍ରାୟ ୨.୪ ଲକ୍ଷ ସାଧାରଣ ମେଡିକାଲ ବେଡ୍‌ ଏବଂ ୨୦,୦୦୦ ଆଇସିୟୁ ବେଡ୍‌ ସୃଷ୍ଟି କରାଯିବ। ସେଥିରୁ ୨୦ ପ୍ରତିଶତ ବେଡ୍‌ ସ୍ବତନ୍ତ୍ର ଭାବେ ଶିଶୁମାନଙ୍କ ପାଇଁ ଉଦ୍ଦିଷ୍ଟ ରହିବ ବୋଲି ମନ୍ତ୍ରୀ ମାଣ୍ଡଭିୟ ସୂଚନା ଦେଇଛନ୍ତି।

ସ୍ବାସ୍ଥ୍ୟସେବା ବ୍ୟତୀତ କ୍ୟାବିନେଟ ବୈଠକରେ କୃଷି ସେକ୍ଟର ସମ୍ପର୍କରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। କୃଷି ଉତ୍ପାଦନ ବିପଣନ କମିଟି (ଏପିଏମ୍‌ସି) ମଣ୍ଡିଗୁଡ଼ିକ ୧ ଲକ୍ଷ କୋଟି ଟଙ୍କାର କୃଷି ଭିତ୍ତିଭୂମି ପାଣ୍ଠିରୁ ଆର୍ଥତ୍କ ସହାୟତା ପାଇବେ। ଏପିଏମ୍‌ସି ପାଇଁ ୧ ଲକ୍ଷ କୋଟି ଟଙ୍କାର ପାଣ୍ଠିକୁ କ୍ୟାବିନେଟ ମଞ୍ଜୁରୀ ଦେଇଛି। ଏହା ନିୟନ୍ତ୍ରିତ ବଜାର ସାମର୍ଥ୍ୟ ବୃଦ୍ଧିରେ ସହାୟକ ହେବା ସହ ଚାଷୀମାନଙ୍କୁ ଉନ୍ନତ ସୁବିଧା ଯୋଗାଇ ଦିଆଯିବ। ସେହିପରି ନଡ଼ିଆ ବୋର୍ଡ ପୁନର୍ଗଠନ ପାଇଁ ବୈଠକରେ ଘୋଷଣା କରାଯାଇଛି। ନୂଆ କୃଷି ଆଇନ ଯୋଗୁ ମଣ୍ଡି ବ୍ୟବସ୍ଥା ଉଚ୍ଛେଦ ହେବ ନାହିଁ ବୋଲି କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି। କୃଷି ଆଇନ କାର୍ଯ୍ୟକାରୀ ହେବା ପରେ ଏପିଏମ୍‌ସି କେନ୍ଦ୍ର ସରକାରଙ୍କ ଭିତ୍ତିଭୂମି ପାଣ୍ଠିରୁ କୋଟି କୋଟି ଟଙ୍କା ପାଇବ, ଯାହା କୃଷକମାନଙ୍କ ଆର୍ଥତ୍କ ସ୍ଥିତିକୁ ସୁଦୃଢ଼ କରିବ ବୋଲି ତୋମାର କହିଛନ୍ତି।

Share