୫ ବର୍ଷରେ ଗାଁରେ ୨୬ ଲକ୍ଷ ୮୪ ହଜାର ପକ୍କାଘର

ଭୁବନେଶ୍ୱର,୨୬ା୮(ବ୍ୟୁରୋ): ଗ୍ରାମୀଣ ଗୃହ ନିର୍ମାଣ ଯୋଜନାର ସଫଳ ରୂପାୟନରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟରେ ପରିଣତ ହୋଇଛି। ୨୦୧୪-୧୫ରୁ ୨୦୨୦ ମଧ୍ୟରେ ରାଜ୍ୟରେ ୨୬ ଲକ୍ଷ ୮୪ ହଜାର ୮୧୮ ପକ୍କାଘର ନିର୍ମାଣ ହୋଇଛି।
ପ୍ରଧାନମନ୍ତ୍ରୀ ଆବାସ(ଗ୍ରାମୀଣ) ଯୋଜନା (ପିଏମ୍‌ଏଓ୍ବାଇ-ଜି)ରେ ୨୦୧୬-୧୭ରୁ ଏ ପର୍ଯ୍ୟନ୍ତ ରାଜ୍ୟକୁ ମୋଟ ୧୮ ହଜାର ୮୩୭ କୋଟି ମିଳିଛି। ସେଥିରେ ୧୧ ହଜାର ୪୬୩ କୋଟି କେନ୍ଦ୍ରୀୟ ଅନୁଦାନ ଥିବା ବେଳେ ୭ ହଜାର ୩୧୫ କୋଟି ରାଜ୍ୟ ଅଂଶଧନ ରହିଛି। ସମୁଦାୟ ଅର୍ଥରୁ ଏପର୍ଯ୍ୟନ୍ତ ପକ୍କାଘର ନିର୍ମାଣ କରିବାରେ ରାଜ୍ୟ ସରକାର ୧୭ ହଜାର ୩୧୫ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି।
ଗୃହ ନିର୍ମାଣ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ରାଜ୍ୟ ସରକାର ବିଜୁ ପକ୍କାଘର ଯୋଜନାରୁ ପ୍ରୋତ୍ସାହନ ରାଶି ପ୍ରଦାନ କରୁଛନ୍ତି। ୪ ମାସରେ ଗୃହ ନିର୍ମାଣ ଶେଷ କରିଥିବା ବ୍ୟକ୍ତିଙ୍କୁ ୨୦ ହଜାର, ୬ ମାସରେ ଶେଷ କରିଥିବା ବ୍ୟକ୍ତିଙ୍କୁ ୧୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ଯୋଗାଇ ଦେଉଛନ୍ତି। ଏପର୍ଯ୍ୟନ୍ତ ରାଜ୍ୟର ୫ ଲକ୍ଷ ୯୧ ହଜାର ହିତାଧିକାରୀଙ୍କୁ ମୋଟ ୮୨୮ କୋଟି ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି। ଚଳିତ ବର୍ଷ କରୋନା ମହାମାରୀ ଭଳି କଠିନ ପରିସ୍ଥିତିରେ ମୋଟ ୧ ଲକ୍ଷ ୧୪ ହଜାର ୬୪୪ ପକ୍କାଘର ନିର୍ମାଣ କରାଯାଇଛି। ଚଳିତ ଆର୍ଥିକ ବର୍ଷରେ ଗୃହ ନିର୍ମାଣ କରୁଥିବା ହିତାଧିକାରୀଙ୍କୁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଦିନକୁ ୧ କୋଟି ୨ ଲକ୍ଷ ଶ୍ରମଦିବସ ପ୍ରଦାନ କରାଯାଇଛି। ଭୂମିହୀନ ପରିବାରଙ୍କୁ ଘରବାରି ଜାଗା ସହ ଗୃହ ମଞ୍ଜୁର କରିବା ଦିଗରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତିି। ୫୬ ହଜାର ୮୯୧ ଚିହ୍ନଟ ଭୂମିହୀନ ପରିବାର ମଧ୍ୟରୁ ୮ ହଜାର ୬୭ ଜଣଙ୍କୁ ଜାଗା ଓ ଗୃହ ମଞ୍ଜୁର କରାଯାଇଛି। ଅବଶିଷ୍ଟଙ୍କୁ ଉପଯୁକ୍ତ ଜାଗା ଯୋଗାଇ ଦେବାକୁ ପଦକ୍ଷେପ ନିଆଯାଉଛି ବୋଲି ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି।

Share