ପୁରୁଷୋତ୍ତମପୁର,୨୮।୧୨(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରଠାରେ ସବ ଜଜ କୋର୍ଟ ପ୍ରତିଷ୍ଠା ଓ ବ୍ରହ୍ମପୁରଠାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ପୁରୁଷୋତ୍ତମପୁର ଓକିଲ ସଂଘ ପକ୍ଷରୁ କୋର୍ଟ ସମ୍ମୁଖରେ ସତ୍ୟାଗ୍ରହ କରି ଧାରଣା ଦିଆଯାଇଛି। ଓକିଲମାନେ କହିଛନ୍ତି, ଦୀର୍ଘ ଦିନ ହେଲା ପୁରୁଷୋତ୍ତମପୁରରେ ସବ ଜଜ କୋର୍ଟ ତଥା ଆସିଷ୍ଟାଣ୍ଟ ସେସନ୍ସ ଜଜ କୋର୍ଟ ପ୍ରତିଷ୍ଠା ଲାଗି ସରକାରଙ୍କପାଖରେ ଦାବି କରାଯିବାସହ ଏପରିକି ଗତ ୨୦୧୯ ମସିହା ଅକ୍ଟୋବର ୯ ତାରିଖରୁ ୨୦୨୦ ମସିହା ଏପ୍ରିଲ ୫ତାରିଖ ପର୍ଯ୍ୟନ୍ତ ଦୀର୍ଘ ୬ ମାସ ଧରି ଓକିଲମାନେ କାର୍ଯ୍ୟ ବନ୍ଦ କରି ଆନ୍ଦୋଳନ ସହ ରାଜରାସ୍ତାକୁ ଓହ୍ଲାଇ ରାସ୍ତା ଅବରୋଧ କରି ଥିଲେ। ଏହାକୁ ନେଇ ସରକାରଙ୍କ ପକ୍ଷରୁ ଯଥାଶୀଘ୍ର କୋର୍ଟ ପ୍ରତିଷ୍ଠା କରିବା ଲାଗି ସେତେବେଳ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା କୋର୍ଟ ପ୍ରତିଷ୍ଠା ହୋଇପାରି ନାହିଁ । ତୁରନ୍ତ ପୁରୁଷୋତ୍ତମପୁରରେ ସବଜଜ୍ କୋର୍ଟ ପ୍ରତିଷ୍ଠା ସହ ବ୍ରହ୍ମପୁରଠାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଲାଗି ଦାବି ହୋଇଛି। ଯେଉଁ ଦିନ ପର୍ଯ୍ୟନ୍ତ ସରକାର କୋର୍ଟ ପ୍ରତିଷ୍ଠା ନ କରିଛନ୍ତି ସେତେବେଳେ ପର୍ଯ୍ୟନ୍ତ ଏହି ସତ୍ୟାଗ୍ରହ ଜାରିରହିବ। ଏ ପରିକି ଆଗାମୀ ଦିନରେ ଓକିଲମାନେ ଆମରଣ ଅନଶନ ମଧ୍ୟ କରିବେ ବୋଲି କହିଛନ୍ତି। ଏଥିରେ ଓକିଲ ସଂଘ ସଭାପତି କେଦାରନାଥ ପଟ୍ଟନାୟକ, ସମ୍ପାଦକ ପ୍ରକାଶ ଚନ୍ଦ୍ର ତ୍ରିପାଠୀ, ସହ ସମ୍ପାଦକ ପାଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।