ଥାନା ଫାଟକ ସମ୍ମୁଖରେ ପରିବାର ଲୋକଙ୍କ ଧାରଣା

ପଟ୍ଟାଙ୍ଗି,୨୯ା୧୦(ଡି.ଏନ.ଏ.): କୋରାପୁଟ ଜିଲା ପଟ୍ଟାଙ୍ଗୀ ଥାନା ଅନ୍ତର୍ଗତ ସୋରିଷପଦର ପଞ୍ଚାୟତ ସମିତିସଭ୍ୟାଙ୍କ ସ୍ବାମୀ ଭଗବାନ ଚେଟ୍ଟୀଙ୍କ ମୃତ୍ୟୁ ଘଟଣାରେ ପରିବାର ସଦସ୍ୟ, ସମ୍ପର୍କୀୟ ଏବଂ ଗ୍ରାମବାସୀ ଅଭିଯୁକ୍ତମାନଙ୍କ ଗିରଫ ଦାବି କରି ଥାନା ଫାଟକ ସମ୍ମୁଖରେ ମୃତଦେହ ରଖି ଶୁକ୍ରବାର ପ୍ରତିବାଦ ଜଣାଇଛନ୍ତି। ଅନ୍ୟପକ୍ଷରେ ଏହି ଘଟଣାରେ ତଦନ୍ତ ପ୍ରକ୍ରିୟାରେ କୌଣସି ଠୋସ୍‌ ପ୍ରମାଣ ମିଳି ନ ଥିବା ହେତୁ ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ସମସ୍ୟା ଉପୁଜୁଥିବା ପୋଲିସ ପ୍ରକାଶ କରିଛି। ତେବେ ଭଗବାନଙ୍କ ସହ ହୋଇଥିବା ଗଣ୍ଡଗୋଳ ସମ୍ପର୍କରେ ପରିବାର ଲୋକେ ପୋଲିସ ନିକଟରେ କରିଥିବା ଅଭିଯୋଗରେ ଅଭିଯୁକ୍ତମାନଙ୍କ ନାମ ଉଲ୍ଲେଖ କରିଥିଲେ ମଧ୍ୟ ଏଥିପ୍ରତି ପୋଲିସ ଗୁରୁତ୍ୱ ଦେଉ ନ ଥିବା ଯୋଗୁ ଅଭିଯୁକ୍ତମାନେ ନିରାପଦରେ ବାହାରେ ବୁଲୁଛନ୍ତି। ଶୁକ୍ରବାର କଟକ ଏସ୍‌ସିବିରୁ ସମିତିସଭ୍ୟାଙ୍କ ସ୍ବାମୀ ଭଗବାନଙ୍କ ମୃତଦେହ ପଟ୍ଟାଙ୍ଗୀରେ ପହଞ୍ଚତ୍ବା ପରେ ପରିବାର ଓ ସମ୍ପର୍କୀୟମାନେ ମୃତଦେହ ଥାନା ସମ୍ମୁଖରେ ରଖି ପୋଲିସ ନିଷ୍କ୍ରିୟତାର ପ୍ରତିବାଦ କରି ଧାରଣା ଦେଇଥିଲେ। ଘଟଣା ସମ୍ପର୍କରେ ଖବର ପାଇ ସୁନାବେଡ଼ା ଏସ୍‌ଡିପିଓ ମନୋଜ ବେହେରା ପହଞ୍ଚତ୍ ପରିବାର ସଦସ୍ୟ ଓ ସମ୍ପର୍କୀୟମାନଙ୍କୁ ସେମିଳିଗୁଡ଼ା ବ୍ଲକ ଅଧ୍ୟକ୍ଷା ଲିଲି ଅଣ୍ଟାବିରିଆଙ୍କ ଉପସ୍ଥିତିରେ ଦୀର୍ଘ ସମୟ ଧରି ବୁଝାଶୁଝା କରିଥିଲେ। ମାତ୍ର ପରିବାର ଲୋକେ ନିଜ ଦାବିରୁ ଓହରି ନ ଥିଲେ। ଶେଷରେ କୋରାପୁଟ ବିଧାୟକ ରଘୁରାମ ପଡାଲ ଏବଂ ପଟ୍ଟାଙ୍ଗୀ ବିଧାୟକ ପିତମ ପାଢ଼ୀ ଧାରଣାସ୍ଥଳରେ ପହଞ୍ଚତ୍ ସେମାନଙ୍କୁ ବୁଝାଶୁଝା କରିଥିଲେ। ଭଗବାନଙ୍କ ଦୁଇ ପିଲାଙ୍କୁ ଏକ ଭଲ ସ୍କୁଲରେ ପାଠ ପଢିବା ପାଇଁ ସୁବିଧା କରିବା, ସମିତିସଭ୍ୟା ଟୁନିଙ୍କୁ ଏକ ସରକାରୀ ଚାକିରି କିପରି ମିଳିବ ସେନେଇ ବ୍ୟବସ୍ଥା କରାଯିବ ବୋଲି ଦୁଇ ବିଧାୟକ ପ୍ରତିଶ୍ରୁତି ଦେଇଥିଲେ। ଏଥିସହ ପଟ୍ଟାଙ୍ଗୀ ବିଧାୟକ ପାଢ଼ୀ ୫୦ ହଜାର ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେବା ପରେ ଧାରଣାରତ ପରିବାର ସଦସ୍ୟ ଓ ସମ୍ପର୍କୀୟମାନେ ଧାରଣାରୁ ଓହରିଥିଲେ। ଦୋଷୀ କିପରି ତଦନ୍ତ ପରିସରଭୁକ୍ତ ହେବ ଏବଂ ଦଣ୍ଡ ପାଇବ ସେଥିପ୍ରତି ପଦକ୍ଷେପ ନେବାକୁ ପୋଲିସକୁ ଉଭୟେ ପରାମର୍ଶ ଦେଇଥିଲେ। ଏହି ଅବସରରେ ଭଗବାନଙ୍କ ପରିବାରବର୍ଗଙ୍କୁ ରେଡ୍‌କ୍ରସ୍‌ରୁ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ସୂଚନାଯୋଗ୍ୟ, ସମିତିସଭ୍ୟା ଟୁନିଙ୍କ ଅଭିଯୋଗକୁ ଭିତ୍ତିକରି ପୋଲିସ ସୋରିଷପଦର ପଞ୍ଚାୟତ ସରପଞ୍ଚ ଜେଟୁ ହନ୍ତାଳ ଓ ନାଏବ ସରପଞ୍ଚଙ୍କ ସ୍ବାମୀ ଜାକବ ଗରଡ଼ାଙ୍କୁ ଅଟକ ରଖିଛି। ଘଟଣାରେ ସମ୍ପୃକ୍ତ ଅନ୍ୟ ୫ ଜଣଙ୍କୁ ତଦନ୍ତ ପରିସରକୁ ନେବାପାଇଁ ପୋଲିସ ଉଦ୍ୟମ ଜାରି ରଖିଛି।