ଶ୍ରୀମନ୍ଦିର ଆଗରେ ଆଧୁନିକ ଗୀତରେ ନାଚିଲେ ଯୁବତୀ

ପୁରୀ ଅଫିସ,୧୬ା୫: ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଜଣେ ଯୁବତୀ ଆଧୁନିକ ଗୀତର ତାଳେ ତାଳେ ନୃତ୍ୟ କରୁଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହାକୁ ନେଇ ଜଗନ୍ନାଥପ୍ରେମୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଭଳି ନୃତ୍ୟ ଦ୍ୱାରା ବଡ଼ଦାଣ୍ଡର ପବିତ୍ରତା ଓ ଗରିମା କ୍ଷୁଣ୍ଣ ହେଉଛି ବୋଲି ସାଧାରଣରେ ମତ ପ୍ରକାଶ ପାଇବା ସହ ସୋସିଆଲ ମିଡିଆରେ ସମ୍ପୃକ୍ତା ଯୁବତୀଙ୍କୁ ସମାଲୋଚନା କରାଯାଇଥିବା ଜଣାପଡ଼ିଛି।
ପ୍ରତ୍ୟେକ ବର୍ଷ ରଥଯାତ୍ରାରେ ତିନିରଥ ଆଗରେ ଓଡ଼ିଶୀ, ଗୋଟିପୁଅ, ମାହାରୀ ଆଦି ପାରମ୍ପରିକ ନୃତ୍ୟ ପ୍ରଦର୍ଶନ ମାଧ୍ୟମରେ ଚତୁର୍ଦ୍ଧାବିଗ୍ରହଙ୍କୁ ଭକ୍ତମାନେ ଭକ୍ତି ନୈବେଦ୍ୟ ଅର୍ପଣ କରିଥାନ୍ତି। ସେହିପରି ମହାପ୍ରଭୁଙ୍କ ଅନେକ ଯାତ୍ରା ସମୟରେ ମଧ୍ୟ ପାରମ୍ପରିକ ଓଡ଼ିଶୀ, ମାହାରୀ ନୃତ୍ୟ ଆଦି ପରିବେଷଣ କରାଯାଇଥାଏ। ମାତ୍ର ସେହି ବଡ଼ଦାଣ୍ଡରେ ତଥା ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଆଧୁନିକ ଗୀତରେ ନୃତ୍ୟ ଘଟଣା ଧାର୍ମିକ ଭାବନାକୁ କ୍ଷୁର୍ଣ୍ଣ କରୁଥିବା ଅନେକ ପୁରୀବାସୀ ମତ ଦେଇଛନ୍ତି।
ସୂଚନାଯୋଗ୍ୟ, କିଛିଦିନ ତଳେ ଶ୍ରୀମନ୍ଦିର ସିଂହଦ୍ୱାର ନିକଟ ଏକ ମଠ ପାଶର୍‌ବରେ ପ୍ରଶାସନ ପକ୍ଷରୁ ଲଗାଯାଇଥିବା ଅସ୍ଥାୟୀ ଗଛକୁଣ୍ଡ କଡ଼ରେ ଏକ ପ୍ରେମୀଯୁଗଳ ଲଜ୍ଜାଜନକ କାର୍ଯ୍ୟ କରୁଥିବା ଅବସ୍ଥାରେ ଧରାପଡ଼ିଥିଲେ। ପୋଲିସ ସେଠାରୁ ସେମାନଙ୍କୁ ତଡ଼ି ଦେଇଥିଲା। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ଗଭୀର ଉଦ୍‌ବେଗ ପ୍ରକାଶ ପାଇଥିଲା।

Share