ପୂର୍ଣ୍ଣ ଟିକାକରଣରେ ଓଡ଼ିଶା ପ୍ରଥମ

ଭୁବନେଶ୍ୱର, ୯।୩(ବ୍ୟୁରୋ): ପୂର୍ଣ୍ଣ ଟିକାକରଣରେ ଦେଶରେ ଓଡ଼ିଶା ପ୍ରଥମ ସ୍ଥାନରେ ରହିଛି। ଜାତୀୟ ପୂର୍ଣ୍ଣ ଟିକାକରଣ ହାରଠାରୁ ମଧ୍ୟ ବହୁ ଆଗୁଆ ଅଛି। ମଙ୍ଗଳବାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ଷ୍ଟିଅରିଂ କମିଟି ବୈଠକରୁ ଏହା ଜଣାପଡ଼ିଛି। ପୂର୍ଣ୍ଣ ଟିକାକରଣ କ୍ଷେତ୍ରରେ ହୋଇଥିବା ଅଗ୍ରଗତି ନେଇ ସମ୍ପୃକ୍ତ ବିଭାଗକୁ ମୁଖ୍ୟ ଶାସନ ସଚିବ ଶୁଭେଚ୍ଛା ଜଣାଇବା ସହିତ ମିଶନ ଇନ୍ଦ୍ରଧନୁଷ ୪.୦ ଟିକାକରଣକୁ କ୍ଷେତ୍ରସ୍ତରୀୟ ସମନ୍ବୟ ମାଧ୍ୟମରେ ସଫଳ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଲୋକସେବା ଭବନରୁ ଭର୍ଚ୍ଚୁଆଲ ମୋଡ୍‌ରେ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜ କୁମାର ଶର୍ମା କହିଥିଲେ, ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ(ଏନ୍‌ଏଫ୍‌ଏଚ୍‌ଏସ୍‌)-୫ ରିପୋର୍ଟ ଅନୁସାରେ ଓଡ଼ିଶା ପୂର୍ଣ୍ଣ ଟିକାକରଣ ହାର ୯୦.୫ ପ୍ରତିଶତ ହୋଇଛି, ଯାହାକି ଜାତୀୟ ହାର ୭୬.୪ ପ୍ରତିଶତରୁ ପ୍ରାୟ ୧୪ ପ୍ରତିଶତ ଅଧିକ। ଅନ୍ୟ ରାଜ୍ୟ ତୁଳନାରେ ମଧ୍ୟ ଓଡ଼ିଶା ଜାତୀୟ ସ୍ତରରେ ସର୍ବପ୍ରଥମ ସ୍ଥାନରେ ରହିଛି।

Share