ଗାଜାରେ ଏବେ ଲୋକଙ୍କ ଘରେ ମଣିଷ ନୁହେଁ ଗଚ୍ଛିତ ରହୁଛି ଅସ୍ତ୍ରଶସ୍ତ୍ର

ଗାଜା ପଟ୍ଟି,୯।୧୧: ଇସ୍ରାଏଲ-ହମାସ ଯୁଦ୍ଧକୁ ପ୍ରାୟ ୩୫ ଦିନ ହେବାକୁ ଯାଉଛି। ଗାଜା ସହରକୁ ଦୁଇ ଭାଗ କରିବା ପରେ ଇସ୍ରାଏଲ ସେନା ହମାସ ବିରୁଦ୍ଧରେ ଯୁଦ୍ଧ ଅଭିଯାନକୁ ଆହୁରି ଜୋରଦାର କରିଛନ୍ତି। ମଙ୍ଗଳବାର ୧୫ହଜାରରୁ ଅଧିକ ଲୋକ ଉତ୍ତର ଗାଜା ଛାଡିବାରେ ସଫଳ ହୋଇଥିଲେ। ଇସ୍ରାଏଲର ସୈନ୍ୟବାହିନୀ ଦ୍ୱାରା ଲଗାତାର ଭାବେ ବୋମା ଏବଂ ଗୁଳି ଚାଳନା କରାଯାଉଛି।
ନ୍ୟୁଜ ଏଜେନ୍ସି ଏପି ଅନୁଯାୟୀ, ଇସ୍ରାଏଲର ସାମରିକ ଅପରେସନରେ ଏପର୍ଯ୍ୟନ୍ତ ୧୦,୫୦୦ ଲୋକଙ୍କ ମୃତ୍ୟୁ ଘଟିଛି। ହଜାର ହଜାର ପାଲେଷ୍ଟାଇନୀୟମାନେ ପାଦରେ ଚାଲି ଚାଲି ଉତ୍ତର ଗାଜା ଛାଡି ଦକ୍ଷିଣ ଅଞ୍ଚଳକୁ ଯାଉଛନ୍ତି।
ବୁଧବାର, ଇସ୍ରାଏଲ ସେନା ଅନେକ ଅନ୍ତର୍ଜାତୀୟ ସାମ୍ବାଦିକଙ୍କୁ ଉତ୍ତର ଗାଜାକୁ ଅନୁମତି ଦେଇଥିଲେ। ସାମ୍ବାଦିକମାନେ ରିପୋର୍ଟ କରିଛନ୍ତି ଯେ ଉତ୍ତର ଗାଜାର ସବୁଆଡେ ଗଛ ମାଟିରେ ପଡିଛି। ଅନେକ ଅଟ୍ଟାଳିକା ପରିତ୍ୟକ୍ତ ଅବସ୍ଥାରେ ପଡ଼ିଛି। କେତେକ ସ୍ଥାନରେ ରକେଟର ଅବଶିଷ୍ଟାଂଶ ରହିଛି ଏବଂ କେତେକ ଘରେ ପାଲେଷ୍ଟାଇନର ପତାକା ଝୁଲୁଛି। କୋଠାଟି ଖାଲି ଥିବାରୁ ଇସ୍ରାଏଲ ସେନାମାନେ ଗୁଳି ଜମା କରି ବିଲ୍ଡିଂ ଭିତରେ ଯୁଦ୍ଧ ରଣନୀତି ପ୍ରସ୍ତୁତ କରୁଛନ୍ତି।

Share