Categories: ଜାତୀୟ

ଗୋଆରେ ସୁଯୋଗ ହାତଛଡ଼ା କରିବାକୁ ଚାହୁଁନି କଂଗ୍ରେସ

ନୂଆଦିଲ୍ଲୀ,୭।୩: ପାଞ୍ଚ ରାଜ୍ୟ ବିଧାନସଭା ନିର୍ବାଚନ ଶେଷ ହୋଇଥିବାବେଳେ ୧୦ ତାରିଖରେ ଫଳାଫଳ ପ୍ରକାଶ ପାଇବ। ଗତ ୨୦୧୭ ଗୋଆ ବିଧାନସଭା ନିର୍ବାଚନରେ ୪୦ ଆସନରୁ କଂଗ୍ରେସ ୧୭ଟି ଜିତି ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଥିଲେ ମଧ୍ୟ ସରକାର ଗଠନ କରିବାରେ ବିଫଳ ହୋଇଥିଲା। ଅନ୍ୟ ପକ୍ଷରେ ୧୩ ଆସନରେ ବିଜୟୀ ହୋଇଥିବା ଭାଜପା ଅନ୍ୟ ଛୋଟ ଦଳ ଓ ସ୍ବାଧୀନ ବିଧାୟକମାନଙ୍କ ସହଯୋଗରେ ସରକାର ଗଢ଼ିଥିଲା। ଏହାର ଦୁଇବର୍ଷ ପରେ ୧୫ ଜଣ କଂଗ୍ରେସ ବିଧାୟକ ଦଳବଦଳ କରି ଭାଜପାରେ ସାମିଲ ହୋଇଥିଲେ ଏବଂ କଂଗ୍ରେସର ବିରୋଧୀ ଦଳ ନେତା ଥିବା ବାବୁ କାଭ୍ଲେକରଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯାଇଥିଲା।
ଏଥର ଯେପରି ସେଭଳି ସ୍ଥିତି ନ ଉପୁଜେ ସେଥିପାଇଁ କଂଗ୍ରେସ ସତର୍କ ରହିଛି। ଘୋଡ଼ାବେପାର ରୋକିବା ଲାଗି ଦଳ ପକ୍ଷରୁ ଅଭୂତପୂର୍ବ ପଦକ୍ଷେପ ଗ୍ରହଣ କରାଯାଇଛି। ଗୋଆ ସମେତ ପଞ୍ଜାବ, ଉତ୍ତରାଖଣ୍ଡ ଏବଂ ମଣିପୁରକୁ ବରିଷ୍ଠ କଂଗ୍ରେସ ନେତାମାନଙ୍କୁ ପଠାଯାଇଛି। ଝୁଲା ବିଧାନସଭା ହେଲେ ମେଣ୍ଟ ସରକାର ଗଠନ ନେଇ ସେମାନେ ତ୍ୱରିତ୍‌ ନିଷ୍ପତ୍ତି ନେବେ। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏ ନେଇ ସମ୍ପୃକ୍ତ ନେତାମାନଙ୍କ ସହ ବୈଠକ କରିଥିଲେ। ସପ୍ତାହେ ପୂର୍ବରୁ ରାହୁଲଙ୍କ ଉପସ୍ଥିତିରେ ଗୋଆର ପ୍ରାର୍ଥୀମାନେ ନିଷ୍ଠାର ଶପଥ ନେଇଥିଲେ। ତେବେ ଏହି ଶପଥ ବିଧାୟକମାନଙ୍କୁ ଘୋଡ଼ା ବେପାରରୁ ଅଟକାଇବା ପାଇଁ ଯଥେଷ୍ଟ ନୁହେଁ ବୋଲି କଂଗ୍ରେସ ଅନୁଭବ କରିଛି। ଗୋଆ ବ୍ୟତୀତ ମଣିପୁର, ପଞ୍ଜାବ ଏବଂ ଉତ୍ତରାଖଣ୍ଡରେ ମଧ୍ୟ କଂଗ୍ରେସ ଏହାର ବିଧାୟକମାନଙ୍କୁ ଏକାଠି ରଖିବାର ମିଶନକୁ ଜୋର୍‌ଦାର କରିଛି। ଅନୂ୍ୟନ ୨ଟି ରାଜ୍ୟରେ କଂଗ୍ରେସ ବିଜୟୀ ହେବାର ଆଶା ରଖିଛି। ନବନିର୍ବାଚିତ ବିଧାୟକମାନଙ୍କୁ ରାଜସ୍ଥାନର କୌଣସି ହୋଟେଲ କିମ୍ବା ରିସୋର୍ଟରେ ଲୁଚାଇ ରଖିବା ଲାଗି ମଧ୍ୟ ଯୋଜନା ହୋଇଥିବା ଜଣାପଡ଼ିଛି।

Share