ଏଇ ଭାରତରେ

ଜୀବନର ମୋଡ଼ ମଣିଷକୁ କେଉଁଠୁ ନେଇ କେଉଁଠି ପହଞ୍ଚାଇ ଦିଏ ତାହା କହିବା ମୁସ୍କିଲ। ଯେମିତି ଘଟିଛି ଟ୍ରକ ଡ୍ରାଇଭର ରାଜେଶ ରୱାନୀଙ୍କ କ୍ଷେତ୍ରରେ। ଟ୍ରକ ଚଳାଇ ପରିବାର ପୋଷୁଥିବା ରାଜେଶ ହଠାତ୍‌ କୋଟିପତି ପାଲଟି ଯାଇଛନ୍ତି ତାହା ପୁଣି ଅଜାଣତରେ।
୨୫ ବର୍ଷ ହେବ ଟ୍ରକ୍‌ ଚଳାଉଥିବା ଝାଡ଼ଖଣ୍ଡ ଜାମତାରା ଅଞ୍ଚଳର ରାଜେଶ ବିଭିନ୍ନ ସ୍ଥାନକୁ ଗାଡ଼ି ନେଇ ଯାଆନ୍ତି। ରାଜେଶଙ୍କର ରୋଷେଇ କରିବାର ସୌକ ଥିବାରୁ ସେ କୌଣସି ସ୍ଥାନରେ ବି ହୋଟେଲରୁ କିଣି ଖାଆନ୍ତି ନାହିଁ। ଏକ ସୁନ୍ଦର ସ୍ଥାନ ଦେଖି ସେହିଠାରେ ରୋଷେଇ କରନ୍ତି ଓ ପରିବାର ଲୋକଙ୍କୁ ଜଣାଇବା ପାଇଁ ସେସବୁର ଭିଡିଓ ରୋକର୍ଡିଂ କରି ପଠାନ୍ତି। ତାଙ୍କ ଦୁଇପୁଅ ଏହି ରୋଷେଇ ଭିଡିଓକୁ ଏକ ୟୁଟ୍ୟୁବ ଚ୍ୟାନେଲରେ ଅପ୍‌ଲୋଡ୍‌ କରନ୍ତି। ଧୀରେ ଧୀରେ ୟୁଟ୍ୟୁବରେ ତାଙ୍କ ଭିଡିଓକୁ ଲୋକେ ପସନ୍ଦ କରିବାରୁ ରାଜେଶଙ୍କୁ ସବୁଦିନ ଭିଡିଓ କରି ପଠାଇବାକୁ ଘରଲୋକ କହିଥିଲେ। ଏହା ସମ୍ଭବ ନ ହେବାରୁ ରାଜେଶଙ୍କ ସହ ତାଙ୍କ ପୁଅ ଯାଇ ବାପାଙ୍କ ରୋଷେଇ ସମୟର ଭିଡିଓ କରି ଅପଲୋଡ୍‌ କରିଥିଲେ। ୟୁଟ୍ୟୁବରେ ଏବେ ତାଙ୍କର ୧.୬୮ ମିଲିଅନ୍‌ ସବ୍‌ସ୍କ୍ରାଇବର ଅଛନ୍ତି। ତେଣୁ ମାସକୁ ତାଙ୍କର ଲକ୍ଷ ଲକ୍ଷ ଟଙ୍କା ରୋଜଗାର ହୋଇପାରୁଛି। ଆଗରୁ ସେ କେବଳ ଭଏସ୍‌ ଓଭର ଦେଇ ରେକର୍ଡିଂ କରୁଥିଲେ। ଥରେ ନିଜ ଚେହେରା ଦେଖାଇ ଏକ ଭିଡିଓ କରିବାରୁ ଏହା ଜୋର୍‌ଦାର ଭାଇରାଲ୍‌ ହୋଇଥିଲା ଓ ଗୋଟିଏ ଦିନରେ ସାଢେ ୪ ଲକ୍ଷ ଲୋକେ ଭିଡିଓକୁ ଦେଖିଥିଲେ। ଏବେ ରାଜେଶ ଜଣେ ସଫଳ ୟୁଟ୍ୟୁବର ଭାବେ କୋଟିପତି ପାଲଟି ଯାଇଛନ୍ତି।