ଏଇ ଭାରତରେ

ତତ୍ତ୍ୱଶୀ କୁମ୍ବଲେ ଓ ଅଶୋକ ଟାଙ୍ଗେଡ ହ୍ବିସିଲବ୍ଲୋୟର ଭାବେ ବାଲ୍ୟ ବିବାହ ରୋକିବାରେ ଲାଗିଛନ୍ତି। ମହାରାଷ୍ଟ୍ରର ବିଡ୍‌ ଜିଲାରେ ସେମାନେ ଏହି ଅଭିଯାନ ଚଳାଇଛନ୍ତି। ଜିଲାପାଳ, ପୋଲିସ ଅଧୀକ୍ଷକ, ଗାଁ ମୁଖିଆଙ୍କ ସହଯୋଗରେ ଦୁଇ ବନ୍ଧୁ ପ୍ରତିବର୍ଷ ପ୍ରାୟ ୨୫୦ ବାଲ୍ୟ ବିବାହ ରୋକିବାରେ ସକ୍ଷମ ହେଉଛନ୍ତି। ସେମାନଙ୍କ ମଧ୍ୟରୁ ୨୫ରୁ ଅଧିକଙ୍କୁ ପୁନଃ ଥଇଥାନ କରି ନୂଆ ଜୀବନ ଦିଆଯାଉଛି। ଏପରି କି ପ୍ରତିବର୍ଷ ଯୌନ ନିର୍ଯାତନାର ଶିକାର ହେଉଥିବା ୭୦ରୁ ଊର୍ଦ୍ଧ୍ୱ ଶିଶୁଙ୍କୁ ମଧ୍ୟ ଥଇଥାନ କରାଯାଉଛି। ଏସବୁ କାର୍ଯ୍ୟ ସେମାନେ କେବଳ ହ୍ବାଟସ୍‌ଆପ୍‌ ମାଧ୍ୟମରେ ସଞ୍ଚାଳନ କରୁଛନ୍ତି। ୨୦୧୧ରୁ ଏହି କାର୍ଯ୍ୟ ଆରମ୍ଭ କରି ତତ୍ତ୍ୱଶୀ ଓ ଅଶୋକ ମୋଟ ୩୦୦୦ରୁ ଅଧିକ ବାଲ୍ୟ ବିବାହ ବନ୍ଦ କରିବାରେ ସକ୍ଷମ ହୋଇଛନ୍ତି। କେବଳ ଏତିକି ନୁହେଁ, ପାଠରୁ ଦୂରେଇ ରହୁଥିବା ନିର୍ଯାତିତ ଶିଶୁଙ୍କୁ ସ୍କୁଲରେ ନାମଲେଖାଇ ଶିକ୍ଷାର ମୁଖ୍ୟ ସ୍ରୋତକୁ ଆଣୁଛନ୍ତି ଏହି ଦୁଇ ବନ୍ଧୁ। ଭାରତରେ ବିଶ୍ୱରେ ସବୁଠୁ ଅଧିକ ବାଲ୍ୟ ବିବାହ ହେଉଥିବାରୁ ଏଭଳି କୁତ୍ସିତ ପ୍ରଥାକୁ ଦୂର କରିବାରେ ତତ୍ତ୍ୱଶୀ ଓ ଅଶୋକଙ୍କର ଏହା ଏକ ପ୍ରଭାବୀ ପ୍ରୟାସ ବୋଲି କୁହାଯାଇପାରେ।