ଏଇ ଭାରତରେ

ହଜିଯାଇଥିବା ଜିନିଷଟିଏ ହଠାତ୍‌ ମିଳିଗଲେ ସମସ୍ତଙ୍କ ମନ ଖୁସି ହୋଇଯାଏ। ଯଦି ବର୍ଷ ବର୍ଷ ତଳେ ହଜିଯାଇଥିବା ଆପଣାର ମଣିଷ ହଠାତ୍‌ ପାଖକୁ ଚାଲିଆସନ୍ତି ତାହେଲେ ମନ ତ ଖୁସିରେ ନାଚି ଉଠିବ ନିଶ୍ଚୟ। ଠିକ୍‌ ଏମିତି ଏକ ଘଟଣା ଘଟିଛି ଗୁଜରାଟର ସୁରଟରେ। ଏହି ଅଞ୍ଚଳର ଜଣେ ମହିଳା ଗୀତାଦେବୀ ଦୀର୍ଘ ୫ ବର୍ଷ ପରେ ଏବେ ତାଙ୍କ ପରିବାର ଲୋକଙ୍କ ପାଖକୁ ଫେରି ଆସିଛନ୍ତି। ପ୍ରକୃତ କଥା ହେଉଛି କି ଗୀତାଙ୍କର ମାନସିକ ଅବସ୍ଥା ଭଲ ନ ଥିବାରୁ ୫ ବର୍ଷ ତଳେ ସେ ଦିନେ କାହାକୁ କିଛି ନ କହି ଘର ଛାଡ଼ି କୁଆଡ଼େ ଚାଲି ଯାଇଥିଲେ। ଘରେ ତାଙ୍କ ସ୍ବାମୀ, ଦୁଇ ଝିଅ ଓ ପୁଅ ସୁମିତ୍‌ ତାଙ୍କୁ ବହୁ ଖୋଜାଖୋଜି କରିଥିଲେ। ହେଲେ କୌଣସି ସ୍ଥାନରେ ନ ପାଇ ନିରାଶ ହୋଇଥିଲେ। ତେଣୁ ଘର ଲୋକେ ଭାବି ନେଇଥିଲେ କି ସେମାନେ ଗୀତାଙ୍କୁ ଆଉ କେବେ ପାଇପାରିବେ ନାହିଁ। ମାତ୍ର ଏବେ ଗୀତା ଦେବୀ ତାଙ୍କ ଘରକୁ ଫେରି ସମସ୍ତଙ୍କୁ ଆପଣାଇ ନେଇଛନ୍ତି। ୫ ବର୍ଷ ତଳେ ଗୀତାଙ୍କୁ ଷ୍ଟେଶନ ନିକଟରୁ ଉଦ୍ଧାର କରି ଏକ ସ୍ବେଚ୍ଛାସେବୀ ସଙ୍ଗଠନ ତାଙ୍କର ଚିକିତ୍ସା ଚଳାଇଥିଲା। ଏତେ ବର୍ଷ ପରେ ତାଙ୍କ ମାନସିକ ଅବସ୍ଥା ଧୀରେ ଧୀରେ ଠିକ୍‌ ହୋଇ ଆସିବାରୁ ସେ ତାଙ୍କ ଘର ଓ ଗାଁର ଠିକଣା ପ୍ରକାଶ କରିଥିଲେ। ପୋଲିସ ସେହି ଠିକଣା ଅନୁସାରେ ତାଙ୍କ ଘରକୁ ଖବର ପଠାଇଥିଲେ। ଖବର ପାଇ ଗୀତାଙ୍କ ପୁଅ ସୁମିତ୍‌ ତାଙ୍କ ଭଉଣୀ ସହ ଆସି ମାଆଙ୍କୁ ଚିହ୍ନି ଘରକୁ ନେଇଯାଇଥିଲେ।