ଏଇ ଭାରତରେ

ତେଲଙ୍ଗାନାର ଡ. ରବୀନ୍ଦ୍ର ଚୌକିଦାର ଶୁଶ୍ରୁତ ଫାଉଣ୍ଡେଶନ ମାଧ୍ୟମରେ ମାଗଣାରେ ଗରିବଙ୍କୁ ଚିକିତ୍ସାସେବା ଯୋଗାଇ ଦେଉଛନ୍ତି। କେବଳ ଏତିକି ନୁହେଁ, ସେ ୪ ମେଧାବୀ ଗରିବ ପିଲାଙ୍କୁ ମେଡିକାଲ ପଢ଼ିବା ଲାଗି ଆର୍ଥିକ ସହାୟତା କରୁଛନ୍ତି। ଏଥିପାଇଁ ରବୀନ୍ଦ୍ର ଓ ତାଙ୍କ ଫାଉଣ୍ଡେଶନର ୬ ଜଣ ଡାକ୍ତର ସେମାନଙ୍କ ମାସିକ ଆୟର ୨୦ ପ୍ରତିଶତ ଦାନ କରୁଛନ୍ତି। ତେଲଙ୍ଗାନାର ଥ୍ରୁପୁଥଣ୍ଡା ଗାଁରେ ରବୀନ୍ଦ୍ରଙ୍କ ଘର। ଆଦିବାସୀ ଅଧ୍ୟୁଷିତ ଏହି ଗାଁରେ ପିଲାଦିନେ ବହୁ କଷ୍ଟରେ ସେ ପଢ଼ିଥିଲେ। ତାଙ୍କ ପିତା ଦିନ ମଜୁରିଆ ଭାବେ କାମ କରି ରବୀନ୍ଦ୍ର ଓ ଅନ୍ୟ ଭାଇମାନଙ୍କର ପଢ଼ା ଖର୍ଚ୍ଚ ତୁଲାଉଥିଲେ। ରବୀନ୍ଦ୍ର ସ୍କୁଲ ଓ କଲେଜ ଶିକ୍ଷା ପରେ ହାଇଦ୍ରାବାଦର ଓସ୍‌ମାନିଆ ମେଡିକାଲ କଲେଜରେ ଏମ୍‌ବିବିଏସ୍‌ ଶେଷକରି ଓ୍ବାରଙ୍ଗଲସ୍ଥିତ କାକତୀୟ ମେଡିକାଲ କଲେଜରୁ ଏମ୍‌ଏସ୍‌ କରିଥିଲେ। ପରେ ୨୦୦୯ରେ ଚାକିରିରେ ଯୋଗଦେବା ବେଳେ ତାଙ୍କ ପିତା ଫୁସ୍‌ଫୁସ୍‌ କ୍ୟାନ୍‌ସରରେ ପୀଡ଼ିତ ହେବା ପରେ ଚିକିତ୍ସା ଖର୍ଚ୍ଚ ବହନ କରିବା କଷ୍ଟକର ହୋଇଥିଲା। ଚାକିରିର ପ୍ରାରମ୍ଭରେ ସେ ଏହି କଷ୍ଟ ଅନୁଭବ କରିବା ପରେ ଗରିବ ଲୋକଙ୍କୁ ବ୍ୟୟ ବହୁଳ ଚିକିତ୍ସା କ୍ଷେତ୍ରରେ ସହଯୋଗ କରିବାକୁ ସେ ଶୁଶ୍ରୁତ ଫାଉଣ୍ଡେଶନ ଗଠନ କରି ବିନା ମୂଲ୍ୟରେ ରୋଗୀ ସେବା କରିଆସୁଛନ୍ତି। ଏହି କାର୍ଯ୍ୟରେ ବହୁ ବିଶେଷଜ୍ଞ ତାଙ୍କ ସହ ଯୋଡ଼ି ହୋଇଛନ୍ତି। ରବୀନ୍ଦ୍ର ସକାଳ ୯ରୁ ୨ଟା ଯାଏ ମେଡିକାଲରେ କାମ କରିବା ପରେ ୨ଟାରୁ ତାଙ୍କ ହସ୍ପିଟାଲରେ ରାତି ୧୦ଟା ପର୍ଯ୍ୟନ୍ତ ରୋଗୀ ସେବା କରୁଛନ୍ତି।