ଏଇ ଭାରତରେ

ମଣିଷ ମରିବା ପରେ ହିଁ ପିଣ୍ଡଦାନ ଶ୍ରାଦ୍ଧ ଆଦି କର୍ମ କରାଯାଏ। କିନ୍ତୁ ବଞ୍ଚିଥିବା ଲୋକଙ୍କର ଶ୍ରାଦ୍ଧ କରିବା କଥା କେବେ ଶୁଣିଛନ୍ତି! କିନ୍ତୁ ଏମିତି ଏକ ଶ୍ରାଦ୍ଧ କରି ଏବେ ଚର୍ଚ୍ଚାକୁ ଆସିଛନ୍ତି ବିହାରର ବିଶ୍ୱନାଥ ରାୟ। ବଞ୍ଚି ଥାଉ ଥାଉ ନିଜ ପତ୍ନୀ ତଥା ନିଜର ଶ୍ରାଦ୍ଧ କରିଛନ୍ତି ସେ। ତାଙ୍କର ଏଭଳି କରିବା ପଛର କାରଣ ଶୁଣିଲେ ଯେକେହି ବି ଭାବପ୍ରବଣ ହୋଇଯିବ। ବିହାର ମୁଜାଫରପୁର ଜିଲାର ବିଶନପୁରକଲ୍ୟାଣ ଗାଁର ବିଶ୍ୱନାଥଙ୍କ ବୟସ ଏବେ ୮୫ ବର୍ଷ ଓ ତାଙ୍କ ପତ୍ନୀଙ୍କ ବୟସ ୮୦ ବର୍ଷ। ତାଙ୍କର ଦୁଇଟି ସନ୍ତାନ ହୋଇଥିଲେ କିନ୍ତୁ ପିଲାବେଳେ ସେମାନଙ୍କର ମୃତ୍ୟୁ ହୋଇଯାଇଥିଲା। ତେଣୁ ସେମାନଙ୍କର ଶ୍ରାଦ୍ଧପିଣ୍ଡ ଦେବାକୁ କେହି ନାହାନ୍ତି। ତେବେ ପିଣ୍ଡଦାନ ନହେଲେ ସେମାନେ ମୋକ୍ଷ ହୋଇପାରିବେ ନାହିଁ। ଏହି ବିଶ୍ୱାସକୁ ନେଇ ବିଶ୍ୱନାଥ ଆଗୁଆ ଶ୍ରାଦ୍ଧ କରିବା ପାଇଁ ନଷ୍ପତ୍ତି ନେଇଥିଲେ। ଜୀବନସାରା ସଞ୍ଚୟ କରି ରଖିଥିବା ଅର୍ଥରେ ସେ ଗୟାରେ ଶ୍ରାଦ୍ଧ କରିବା ସହ ଗାଁ ଲୋକଙ୍କୁ ଭୋଜନ ଦେଇଛନ୍ତି। ଏହା ସହ ଅନ୍ୟାନ୍ୟ ସମସ୍ତ କାମ ମଧ୍ୟ କରିଛନ୍ତି। ଏବେ ବୟସାଧିକ ଯୋଗୁ ଏହି ଦମ୍ପତିଙ୍କୁ ନିଜ କାମ ନିଜେ କରିପାରୁନାହାନ୍ତି। ବହୁ କଷ୍ଟରେ ଭତ୍ତା ଟଙ୍କାରେ ଚଳୁଛନ୍ତି।