ଏଇ ଭାରତରେ

ପେସାରେ ଶିକ୍ଷୟିତ୍ରୀ ହେଲେ ବି ଫୁଲଚାଷ ତାଙ୍କ ପାଇଁ ଆଣିଛି ସ୍ବତନ୍ତ୍ର ପରିଚୟ। କେରଳ ଥ୍ରିଶୂର ଜିଲା ବାସିନ୍ଦା ଲତିକା ସୁତାନ ବଗିଚାରେ ପଦ୍ମ ଓ କଇଁ ଚାଷ କରି ମାସକୁ ୪୦ ହଜାରରୁ ଅଧିକ ଟଙ୍କା ରୋଜଗାର କରୁଛନ୍ତି। ଏହାସହ ଘରେ କିଭଳି ବିଭିନ୍ନ ବିଦେଶୀ ଫୁଲ ଚାଷ କରାଯାଇପାରିବ ସେ ସମ୍ପର୍କରେ ପ୍ରଶିକ୍ଷଣ ଦେଉଛନ୍ତି। ଏବେ ସୁଦ୍ଧା ଲତିକା ୧୦୦ କିସମର ପଦ୍ମଫୁଲ ଏବଂ ୮୦ ପ୍ରକାରର କଇଁଫୁଲ ଚାଷ କରୁଛନ୍ତି। ଏଗୁଡ଼ିକୁ ସେ ଥାଇଲାଣ୍ଡ, ଜାପାନ, ଭିଏଟ୍‌ନାମ ଆଦି ଦେଶରୁ ଆମଦାନୀ କରିଛନ୍ତି। ଫୁଲ ଚାଷ ଅଭ୍ୟାସ ଲତିକାଙ୍କର ପିଲାଦିନରୁ ରହିଥିଲା। ସେ ଶିକ୍ଷୟିତ୍ରୀ ଭାବେ ଯୋଗଦେବା ପରେ ମଧ୍ୟ ଏଥିରୁ ଓହରି ନ ଥିଲେ। ଏବେ ତାଙ୍କ ବୟସ ୫୧। ୨୦୧୮ରୁ ସେ ପଦ୍ମ ଓ କଇଁ ଫୁଲ ଚାଷର ବ୍ୟବସାୟୀକରଣ ଆରମ୍ଭ କରିଥିଲେ। ଲତିକା ଫୁଲ ବିକ୍ରି କରିବା ସହ ପ୍ରତିମାସରେ ୧୫୦ରୁ ଅଧିକ ପଦ୍ମଫୁଲ ଚାରା ଏବଂ ୧୦୦ରୁ ଊର୍ଦ୍ଧ୍ୱ କଇଁ ଚାରା ବିକ୍ରି କରୁଛନ୍ତି।