ଏଇ ଭାରତରେ

କଥାରେ ଅଛି ଦୃଢ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମ ଆଗରେ ପ୍ରତିବନ୍ଧକ ହାର୍‌ମାନେ। ଯାହାର ଉଦାହରଣ ସାଜିଛନ୍ତି ଉତ୍ତରାଖଣ୍ଡ ବାଗେଶ୍ୱର ଅଞ୍ଚଳ ନିବାସୀ ମମତା କାର୍କି। ୪୨ ବର୍ଷୀୟ ଏହି ମହିଳା ସାଂସାରିକ ବୋଝ ମୁଣ୍ଡାଇ ମଧ୍ୟ ପିସିଏସ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେ ଏବେ ବିଡିଓ ଭାବେ କାର୍ଯ୍ୟ ନିର୍ବାହ କରୁଛନ୍ତି। ତାଙ୍କର ଏହି ସଫଳତା ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛି। ଘର ପରିବାର, ପିଲାଙ୍କ ଯତ୍ନ ନେବାପରେ ଏହି ସଫଳତା ପାଇଁ ସେ ବହୁ ପରିଶ୍ରମ କରିଛନ୍ତି। ମମତାଙ୍କ ବିବାହ ୧୧ ବର୍ଷ ତଳେ ହୋଇଥିଲା। ସେତେବେଳେ ସେ ଏକ ଇଞ୍ଜିନିୟରିଂ କଲେଜରେ ପ୍ରଫେସରଭାବେ ନିଯୁକ୍ତି ପାଇଥିଲେ। କିନ୍ତୁ ପିଲାମାନଙ୍କ ଦାୟିତ୍ୱ ନେବା ପାଇଁ ତାଙ୍କୁ ଏହି ଚାକିରି ଛାଡିବାକୁ ପଡ଼ିଥିଲା। ଏହାପରେ ପିଲାଙ୍କୁ ମଣିଷ କରିବା ଓ ପରିବାରର ଦାୟିତ୍ୱ ନେବାରେ ତାଙ୍କର ସମୟ ବିତିଯାଉଥିଲା। କିନ୍ତୁ ପାଠପଢିବା ଆଗ୍ରହ କମ୍‌ ହୋଇ ନ ଥିଲା। ତେଣୁ ସେ ପିଲାମାନଙ୍କ ସବୁ ଦାୟିତ୍ୱ ତୁଲାଇ ସାରିବା ପରେ କିଛି କିଛି ସମୟ ପଢ଼ାରେ ଧ୍ୟାନ ଦେଉଥିଲେ। ପିଲାମାନେ ବଡ଼ ହୋଇଯିବା ପରେ ମମତା କଠିନ ପରିଶ୍ରମ କରି ବିଭିନ୍ନ ପ୍ରତିଯୋଗୀତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଲେ। ଶେଷରେ ଉତ୍ତରାଖଣ୍ଡର ୨୦୨୧ ପିସିଏସ୍‌ ପରୀକ୍ଷାରେ ତାଙ୍କୁ ସଫଳତା ମିଳିଲା ଓ ଏବେ ସେ ବିଡିଓ। ବିବାହର ଏତେ ବର୍ଷ ପରେ ଏହି ସଫଳତା ପାଇଁ ମମତା ଏବେ ଚାରିଆଡୁ ପ୍ରଶଂସିତ ହେଉଛନ୍ତି।