ଏଇ ଭାରତରେ

ବିବିଧତାର ଦେଶ ଭାରତ। ଏଠାରେ ଧର୍ମର ବିବିଧତା ଥିବା ବେଳେ ପର୍ବପର୍ବାଣିରେ ମଧ୍ୟ ଏହା ଲକ୍ଷ୍ୟ କରାଯାଏ। ସେଥିମଧ୍ୟରେ ଉତ୍ତରାଖଣ୍ଡରେ ପାଳନ ହେଉଥିବା ବଟର ଫେଷ୍ଟିଭାଲ ଅନ୍ୟତମ। ଏହା ଏକ ପ୍ରକାର ହୋଲି ପର୍ବ। ହେଲେ ଏହି ପର୍ବ ମାର୍ଚ୍ଚରେ ନୁହେଁ, ବରଂ ଅଗଷ୍ଟ ମାସରେ ପଳନ କରାଯାଇଥାଏ। ।
ବଟର ଫେଷ୍ଟିଭାଲ ରଙ୍ଗ କିମ୍ବା ଅବିରରେ ପାଳନ ନ ହୋଇ କ୍ଷୀର, ଦହି, ଲହୁଣିରେ ଖେଳାଯାଇଥାଏ। ଉତ୍ତରକାଶୀ ଜିଲାର ଦୟାରା ଗୁଗ୍ୟାଲ ଓ ତାହାର ଆଖପାଖ କେତେଖଣ୍ଡ ଗାଁରେ ପାଳନ ହୁଏ ଏଭଳି ନିଆରା ପର୍ବ। ପର୍ବର ନିୟମ ଅନୁସାରେ ଲୋକେ ପ୍ରଥମେ ସେମାନଙ୍କର ଆରାଧ୍ୟ ଦେବତାଙ୍କୁ ପୂଜାର୍ଚ୍ଚନା କରିଥାନ୍ତି। ପରେ ସେମାନେ ପରସ୍ପର ଉପରେ କ୍ଷୀର, ଦହି ଓ ଲହୁଣି ଆଦି ପକାଇ ହୋଲି ଖେଳନ୍ତି ଓ ଢେର ମଜା ନିଅନ୍ତି। ଏଥିପାଇଁ ସମସ୍ତେ ବିଭିନ୍ନ ପ୍ରକାର ପାତ୍ରରେ ଏସବୁ ଦୁଗ୍ଧଜାତ ଦ୍ରବ୍ୟକୁ ସାଙ୍ଗରେ ନେଇ ଖେଳିବାକୁ ଆସିଥାନ୍ତି। ତେବେ ଏଭଳି ଏକ ଉତ୍ସବକୁ ଦେଖିବା ପାଇଁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଦେଶ ବିଦେଶରୁ ଆସିଥାନ୍ତି। ପ୍ରକୃତି ଓ ପଶୁଧନକୁ ସମ୍ମାନ ଜଣାଇ ଏକ ଧାର୍ମିକ ମାନ୍ୟତା ଅନୁସାରେ ଲୋକେ ଏଭଳି ଏକ ପର୍ବ ପାଳନ କରି ଆସୁଛନ୍ତି।