ଏଇ ଭାରତରେ

ଅଣୁ ବିଜ୍ଞାନୀ ଡ. କଳ୍ପନା ଶଙ୍କର ଏବେ ଜଣେ ସମାଜସେବୀ ଭାବରେ ଶିଶୁ ଶ୍ରମିକ ଉଚ୍ଛେଦ ପାଇଁ ଚେଷ୍ଟା କରିବା ସହ ଅନେକ ହଜାର ମହିଳାଙ୍କୁ ସଶକ୍ତ କରିପାରିଛନ୍ତି। ତାମିଲନାଡୁର କାଞ୍ଚିପୁରମରେ ‘ହ୍ୟାଣ୍ଡ ଇନ୍‌ ହ୍ୟାଣ୍ଡ’ ଏନ୍‌ଜିଓ ପ୍ରତିଷ୍ଠା କରି ତା’ ମାଧ୍ୟମରେ ଏହି କାର୍ଯ୍ୟ କରୁଛନ୍ତି। ସେ କାଞ୍ଚିପୁରମର ବୁଣାକାର ପରିବାରରେ କାମ କରୁଥିବା ଶିଶୁଶ୍ରମିକଙ୍କୁ ପ୍ରଥମେ ଉଦ୍ଧାର କରି ସେମାନଙ୍କୁ ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ କରିଥିଲେ। ପରେ ଏହି ଅଭିଯାନକୁ ସେ ସମଗ୍ର ତାମିଲନାଡୁରେ ଚଳାଇଛନ୍ତି। ତାଙ୍କୁ ଏହି କାର୍ଯ୍ୟରେ ସହଯୋଗ କରୁଛନ୍ତି ସୁଇଡେନର ବ୍ୟବସାୟୀ ଡ.ପର୍ସି ବାର୍ନେଭିକ। ପିଲାଙ୍କ ଶିକ୍ଷା ପାଇଁ ତାମିଲନାଡୁର ବିଭିନ୍ନ ଅଞ୍ଚଳରେ ୮ଟି ଆବାସିକ ବିଦ୍ୟାଳୟ ଖୋଲାଯାଇଛି। ଏହିସବୁ ସ୍କୁଲରୁ ଏଯାବତ ୪୦,୦୦୦ ପିଲା ଉପକୃତ ହୋଇସାରିଲେଣି। ନିୟମିତ ପାଠ୍ୟକ୍ରମ ସହ ପିଲାମାନଙ୍କୁ କୌଶଳ ଦକ୍ଷତା , ହସ୍ତକଳା, ପରିବେଶ ସୁରକ୍ଷା, ବର୍ଜ୍ୟ ପରିଚାଳନା ସମ୍ପର୍କରେ ଶିକ୍ଷା ଦିଆଯାଉଛି। କେବଳ ଏତିକି ନୁହେଁ ଡ. କଳ୍ପନା ରାଜ୍ୟର ବିଭିନ୍ନ ଅଞ୍ଚଳରେ ପରିବାରକୈନ୍ଦିକ ଉଦ୍ୟୋଗକୁ ପ୍ରୋତ୍ସାହିତ କରି ଏବେ ସୁଦ୍ଧା ୧.୫ ମିଲିୟନ ମହିଳାଙ୍କୁ ରୋଜଗାର ଯୋଗାଇ ସାରିଲେଣି। ବିଶେଷକରି ସେ ଟେଲର ଦୋକାନ, ମୋବାଇଲ ମରାମତି ଦୋକାନ, ଫୁଡ୍‌ ବିଜନେସ ଆଦିରେ ପରିବାରକୁ ସହଯୋଗ କରୁଛନ୍ତି।