ଏଇ ଭାରତରେ

ଭୁଲ କାମ ପାଇଁ ପିଲାମାନଙ୍କୁ ମା’ବାପା ଦଣ୍ଡ ଦିଅନ୍ତି ସତ କିନ୍ତୁ ଦଣ୍ଡ ଦେବା ପରେ ନିଜେ ବହୁତ କଷ୍ଟ ପାଆନ୍ତି। ଏମିତିକି ଦଣ୍ଡ ଦେବା ପରେ ଲୁଚି ଲୁଚି କାନ୍ଦନ୍ତି ଓ ପିଲାମାନଙ୍କୁ ଗେଲ ବି କରନ୍ତି। ହେଲେ ଏମିତି ବି ବାପା ଅଛନ୍ତି ଯେଉଁମାନେ ମାତ୍ର ୫ଶହ ଟଙ୍କା ପାଇଁ ନିଜ ଜନ୍ମ କଲା ପୁଅକୁ ଜୀବନରୁ ମାରିବାକୁ ବି ପଛାନ୍ତି ନାହିଁ। ଏଭଳି ଏକ ଅତ୍ୟନ୍ତ ପୈଶାଚିକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ଗାଜିଆବାଦର ବିସ୍‌ବା ଗାଁରେ। ଏହି ଗାଁର ନୌଶାଦ ନାମକ ଜଣେ ବ୍ୟକ୍ତି ୫ ଶହ ଟଙ୍କା ଚୋରି କରିବା ଅଭିଯୋଗରେ ନିଜ ପୁଅକୁ ପିଟିପିଟି ମାରି ଦେଇଛନ୍ତି। ନୌଶାଦଙ୍କ କହିବା ଅନୁସାରେ ତାଙ୍କ ପକେଟ୍‌ରୁ ୫ଶହ ଟଙ୍କା ଚୋରି ହୋଇଥିଲା। ଏକଥା ଜଣାପଡ଼ିବା ପରେ ତାଙ୍କ ଦ୍ୱିତୀୟ ପତ୍ନୀ ରାଜିୟା କହିଥିଲେ କି ତାଙ୍କ ସାବତ ପୁଅ ହିଁ ଏହି ଚୋରି କରିଛି। ତେଣୁ ନୌଶାଦ ରାଗରେ ନିଜର ୧୦ ବର୍ଷର ପୁଅକୁ ନିର୍ଦ୍ଦୟ ଭାବରେ ମାଡ଼ ମାରିଚାଲିଲେ। ପିଲାଟି ଚୋରି କରିନାହିଁ ବୋଲି ଯେତେ କହିଥିଲେ ମଧ୍ୟ ନୌଶାଦ ସେକଥାକୁ ଆଦୌ କର୍ଣ୍ଣପାତ କରି ନ ଥିଲେ। ଶେଷରେ ମାଡ଼ ସହି ନ ପାରି ଘଟଣା ସ୍ଥଳରେ ହିଁ ପିଲାଟିର ଜୀବନ ଚାଲି ଯାଇଥିଲା।