ଏଇ ଭାରତରେ

କର୍ପୋରେଟ ଚାକିରି ଛାଡ଼ି ହିମାଳୟର ଦାର୍ଜିଲିଂ ନିକଟସ୍ଥ ଗାଁଗୁଡ଼ିକୁ ବର୍ଜ୍ୟମୁକ୍ତ କରିବାରେ ଲାଗିଛନ୍ତି ଉତ୍ସ ପ୍ରଧାନ। ସେ ସ୍ଥାନୀୟ ପରମ୍ପରା ଓ ହିମାଳୟର କ୍ଷତିଗ୍ରସ୍ତ ପରିସଂସ୍ଥାର ପୁନରୁଦ୍ଧାର କରିବା ସହ ଗାଁଗୁଡ଼ିକୁ ପରିବେଶ ଉପଯୋଗୀ କରୁଛନ୍ତି। ଉତ୍ସଙ୍କ ବୟସ ଏବେ ୪୩। ସେ ଏଡ୍‌ଟେକ କମ୍ପାନୀରୁ ଚାକିରି ଛାଡ଼ି ୨୦୧୫ରେ ତାଙ୍କ ଗାଁକୁ ଆସିଥିଲେ। ପ୍ରଥମେ ତାଙ୍କ ପୈତୃକ ସମ୍ପତ୍ତିରେ ଠୁଳ ହୋଇଥିତ୍ବା ପ୍ଲାଷ୍ଟିକ ବର୍ଜ୍ୟ ସଫା କରିବା ପରେ ସେ ‘ଟିଡି’ ଅର୍ଥାତ୍‌ ‘ଟେକ୍‌ ଇଟ ଇଜି, ଇଜି ଡଜ୍‌ ଇଟ୍‌’ ଅଭିଯାନ ଆରମ୍ଭ କରିଥିଲେ। ନିଜ ଗାଁ ରାଜହତାକୁ ବର୍ଜ୍ୟମୁକ୍ତ କରିବା ପରେ ଏବେ ଆଖପାଖ ତିନୋଟି ଗାଁରେ ବର୍ଜ୍ୟ ପରିଚାଳନା କାର୍ଯ୍ୟ ଆରମ୍ଭ କରିଛନ୍ତି। ପ୍ରତି ଗାଁର ଛକରେ ଡଷ୍ଟବିନ ରଖିଛନ୍ତି। ସବୁ ଗାଁରୁ ବର୍ଜ୍ୟ ସଂଗ୍ରହ କରାଯାଇ ସେଗୁଡ଼ିକୁ ରିସାଇକେଲ ପାଇଁ ପଠାଯାଉଛି। ଏଥିପାଇଁ ସେ ଏକ ଟିମ୍‌ ଗଠନ କରିଛନ୍ତି। ଉତ୍ସ ଓ ତାଙ୍କ ଟିମ୍‌ ମଧ୍ୟ ବୃକ୍ଷରୋପଣ କରିବା ସହ ବାଉଁଶ କାରିଗରିର ପୁନରୁଦ୍ଧାର କରୁଛନ୍ତି। ଝରଣାଗୁଡ଼ିକୁ ବର୍ଜ୍ୟମୁକ୍ତ ରଖିବା ଲାଗି ମଧ୍ୟ ପଦକ୍ଷେପ ନେଉଛନ୍ତି।