ଏଇ ଭାରତରେ

୧୪ ବର୍ଷ ବୟସରେ ବାହା ହୋଇଥିଲେ ତାଙ୍କଠାରୁ ତିନିଗୁଣ ଅଧିକ ବୟସର ବ୍ୟକ୍ତିଙ୍କୁ। ସେ ମା’ ହେଲେ ୧୫ ବର୍ଷରେ। ବାଲ୍ୟ ବିବାହର ଯନ୍ତ୍ରଣାକୁ ଅତି ନିକଟରୁ ଦେଖିଥିବା ଏହି ମହିଳା ଜଣକ ହେଉଛନ୍ତି ବିହାରର ରୋଶନି ପରଓ୍ବିନ। ସେ ଏବେ ଏହି ପ୍ରଥାକୁ ଦୂର କରିବା ଲାଗି ଅଭିଯାନ ଚଳାଇଛନ୍ତି। ରୋଶନି କିଶାନଗଞ୍ଜ ସିମନବାରିର ଏକ ଛୋଟ ଗାଁରେ ରୁହନ୍ତି। ସେ ନବମରେ ପଢୁଥିବା ସମୟରେ ପରିବାର ଲୋକେ ବାଧ୍ୟ କରି ତାଙ୍କୁ ୪୫ ବର୍ଷ ବୟସର ବ୍ୟକ୍ତିଙ୍କ ସହ ବାହାଘର କରାଇଦେଇଥିଲେ। ପରେ ପାରିବାରିକ ବିବାଦରୁ ତାଙ୍କ ସ୍ବାମୀ ତାଙ୍କୁ ଆଉ ଗ୍ରହଣ କରି ନ ଥିଲେ । ଫଳରେ ସେ ସେଠାରୁ ଦୂରେଇ ଆସି ବାଲ୍ୟ ବିବାହ ବିରୋଧରେ ଅଭିଯାନ ଚଳାଇବାକୁ ନିଷ୍ପତ୍ତି ନେଇଥିଲେ। ରୋଶନି ପ୍ରଥମେ ଚାଇଲ୍ଡଲାଇନ ଇଣ୍ଡିଆ ଫାଉଣ୍ଡେଶନରେ ଯୋଗ ଦେଇଥିଲେ । ପରେ ସେଭ୍‌ ଦି ଚାଇଲ୍ଡ ଓ ୟୁନିସେଫ ସହଯୋଗରେ ଏହି ସଂସ୍ଥାର ନେତୃତ୍ୱ ନେଇ ସେ ବାଲ୍ୟ ବିବାହ ରୋକିବା ଲାଗି ବିଭିନ୍ନ ଅଭିିଯାନ ଚଳାଇଛନ୍ତି। ବର୍ତ୍ତମାନ ସୁଦ୍ଧା ରୋଶନି ୬୦ଟି ବାଲ୍ୟବିବାହ ବନ୍ଦ କରିବାରେ ସକ୍ଷମ ହୋଇପାରିଛନ୍ତି। ବିଭିନ୍ନ ଗାଁରେ ସେ ୧୫ ଜଣ ପାପ୍ତବୟସ୍କ ଝିଅଙ୍କୁ ନେଇ ଏକ ଗୋଷ୍ଠୀ ଗଠନ କରିଛନ୍ତି। ଏହା ବ୍ୟତୀତ ଜିଲା ପ୍ରଶାସନ, ବିଡିଓ, ସିଡିପିଓ ଏବଂ ପୋଲିସଙ୍କ ସହଯୋଗରେ କାର୍ଯ୍ୟ କରୁଛନ୍ତି। ଏଥିପାଇଁ ସେ ମଧ୍ୟ ଜାତିସଂଘ ଦ୍ୱାରା ପୁରସ୍କୃତ ହୋଇଛନ୍ତି।