ଏଇ ଭାରତରେ

କେତେକେ ନିଜ ଘରେ ଆଣ୍ଠୁଆ ଗୋପାଳଙ୍କୁ ରଖି ପୂଜା କରନ୍ତି। କିନ୍ତୁ ଆଣ୍ଠୁଆ ଗୋପାଳ ସ୍କୁଲରେ ପାଠ ପଢ଼ିବା କଥା କେହି ହୁଏତ ଶୁଣି ନ ଥିବେ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ଆଗ୍ରାର ନୁରୀ ଦରବାଜ ଅଞ୍ଚଳରେ। ଏହି ଅଞ୍ଚଳର ଶିକ୍ଷୟିତ୍ରୀ ଅଳକା ସିଂହ ଘରେ ରଖିଥିବା ଆଣ୍ଠୁଆ ଗୋପାଳଙ୍କୁ ନିଜ ପୁଅ ଭାବି ସ୍କୁଲରେ ନାମ ଲେଖାଇଛନ୍ତି। ବାନ୍ଧବୀ ତାଙ୍କୁ ଯେଉଁ ଆଣ୍ଠୁଆ ଗୋପାଳ ଉପହାର ଦେଇଥିଲେ ତାଙ୍କୁ ସେ ପୁଅ ବୋଲି ଭାବି ନାମ କେଶବ ଦେଇଛନ୍ତି ଓ ପ୍ରତିବର୍ଷ ଜନ୍ମଦିନ ପାଳୁଛନ୍ତି। ଏପରିକି ପିଲାପ ଦାୟିତ୍ୱ ନେଲାପରି କେଶବଙ୍କ ସମସ୍ତ ନିତ୍ୟକର୍ମ ନିର୍ବାହ କରୁଛନ୍ତି। ଆଣ୍ଠୁଆ ଗୋପାଳ ଘରକୁ ଆସିବାର ୫ ବର୍ଷ ପରେ ଖଡ଼ିଛୁଆଁ ଓ ଏକ ନର୍ସରୀ ସ୍କୁଲରେ ଆଡ୍‌ମିଶନ ମଧ୍ୟ କରାଇଛନ୍ତି। ଖାଲି ଯେ ନାମ ଲେଖାଇଛନ୍ତି ତା ନୁହେଁ ସେ କେଶବଙ୍କ ପାଇଁ ବହି ଖାତା ଆଦି ସବୁ କିଣିଛନ୍ତି ଓ ତାଙ୍କ ହୋମ୍‌ୱାର୍କ କରାନ୍ତି, ପାଠ ବି ପଢାନ୍ତି। ଶୁଣିବାକୁ ଅଜବ ମନେ ହେଉଥିଲେ ବି ପ୍ରତିଦିନ ରୁଟିନ୍‌ ଭଳି ଅଳକା ଏସବୁ କରନ୍ତି। ତାଙ୍କ କହିବା ଅନୁସାରେ ପ୍ରତିଦିନ ରାତିରେ ଆଣ୍ଠୁଆ ଗୋପାଳ ସ୍ବପ୍ନରେ ଆସି ସବୁ ପାଠ ତାଙ୍କୁ ଶୁଣାଇଥାନ୍ତି। ଅଳକାଙ୍କର ଏଭଳି କୃଷ୍ଣ ଭକ୍ତି ନେଇ ଏବେ ବିଭିନ୍ନ ସ୍ଥାନରେ ଚର୍ଚ୍ଚା ହେଉଛି।