ଏଇ ଭାରତରେ

ମୌସୁମୀ କାପାଡ଼ିଆଙ୍କ ସାହସିକ ଯାତ୍ରା ଅନ୍ୟମାନଙ୍କ ପାଇଁ ଏକ ପ୍ରେରଣାଦାୟୀ କାହାଣୀ। ରିଜିଡ୍‌ ସ୍ପାଇନ ମସ୍କୁଲାର ଡିସ୍‌ଟ୍ରୋଫି( ଆର୍‌ଏସ୍‌ଏମ୍‌ଡି) ରୋଗରେ ପୀଡ଼ିତ ତାଙ୍କ ବଡ଼ ପୁଅ ବେଦାଂଶଙ୍କୁ ସାଙ୍ଗରେ ନେଇ ଭାରତର ୨୬ଟି ରାଜ୍ୟ ଭ୍ରମଣ କରିବା ସହ ୨୧ଟି ଦେଶ ବୁଲି ସାରିଲେଣି। ବେଦାଂଶ ଭଲରେ ଚାଲିପାରନ୍ତି ନାହିଁ କି ତାଙ୍କ ଶରୀରର ବିଭିନ୍ନ ଅଙ୍ଗ ମଧ୍ୟ ଠିିକ୍‌ ଭାବେ ବିକଶିତ ହୋଇପାରିନାହିଁ। ତଥାପି ମୌସୁମୀ ତାଙ୍କ ଦିବ୍ୟାଙ୍ଗ ପୁଅଙ୍କୁ ନେଇ ଯାତ୍ରା ଜାରି ରଖିଛନ୍ତି। ବାଇକ୍‌ରେ ୧୫ଟି ଦୁର୍ଗମ ସ୍ଥାନକୁ ଯିବା ସହ ବିଭିନ୍ନ ଦେଶରେ ୧୨ଟି ପାହାଡ଼ ଚଢ଼ି ସାରିଛନ୍ତି। ଲେହ ଲଦାଖକୁ ୧୦ ଦିନିଆ ବାଇକ୍‌ ଯାତ୍ରା ସହ ଅନ୍ୟ କେତୋଟି ଦୁଃସାହସିକ ଯାତ୍ରାରେ ସେ ତାଙ୍କ ଦିବ୍ୟାଙ୍ଗ ପୁତ୍ରକୁ ମଧ୍ୟ ସାଥିରେ ନେଇପାରିଛନ୍ତି। ମୌସୁମୀଙ୍କ ବୟସ ଏବେ ୪୫। ସେ ଦୁଇଟି ପୁତ୍ର ସନ୍ତାନର ଜନନୀ। ତାଙ୍କ ସ୍ବାମୀଙ୍କ ସହ ଦୁବାଇରେ ରହୁଥିଲେ। ପରେ ବଡ଼ ପୁଅ ରୋଗଗ୍ରସ୍ତ ହେବା ପରେ ତା’ ଚିକିତ୍ସା ପାଇଁ ମୁମ୍ବାଇ ଫେରିଆସିଲେ। ଏହି ସମୟରେ ବିଷାଦଗ୍ରସ୍ତ ହୋଇପଡ଼ିଲେ। କିନ୍ତୁ କାଉନସିଲିଂ ପରେ ନିଜକୁ ସୁଧାରି ଆଣି ଜୀବନକୁ ଏକ ଭିନ୍ନ ମାର୍ଗରେ ନେବା ପାଇଁ ସ୍ଥିର କରି ଏଭଳି ଦୁଃସାହସିକ ଯାତ୍ରା ଆରମ୍ଭ କରିଥିଲେ।