ଏଇ ଭାରତରେ

ଗୋଟେ ମଇଁଷିର ଦାମ୍‌ ୧ ଲକ୍ଷ ଟଙ୍କାରୁ ଅଧିକ ହେବା କଥା ହୁଏତ କେହି ଭାବି ନ ଥିବେ। ମାତ୍ର ମଇଁଷିର ଦାମ୍‌ ବି ୨୩ କୋଟି ଟଙ୍କା ହୋଇପାରେ ଏକଥା ଅନେକଙ୍କୁ ଆଚମ୍ବିତ କରିପାରେ। ମାତ୍ର ଏଭଳି ଭିନ୍ନ ଧରଣର ମଇଁଷି ଅଛନ୍ତି ଉତ୍ତରପ୍ରଦେଶ ମେରଠରେ। ଏଠାରେ ଥିବା ସର୍ଦ୍ଦାର ବଲ୍ଲଭଭାଇ ପଟେଲ କୃଷି ବିଶ୍ୱବିଦ୍ୟାଳୟରେ ଏଭଳି ବିଭିନ୍ନ ପ୍ରକାରର ମଇଁଷି ଅଛନ୍ତି ଯାହାର ଦାମ୍‌ ୯ କୋଟି, ୧୦ କୋଟିରୁ ଆରମ୍ଭ କରି ୨୩ କୋଟି ଟଙ୍କା ପର୍ଯ୍ୟନ୍ତ ରହିଛି। ହେଲେ ଏତେ ଦାମ୍‌ ସତ୍ତ୍ୱେ ଏହି ମଇଁଷିଙ୍କୁ ବିକ୍ରି କରାଯାଏ ନାହିଁ। ବରଂ ଖୁବ୍‌ ଯତ୍ନରେ ଏମାନଙ୍କ ରକ୍ଷଣାବେକ୍ଷଣ କରାଯାଏ। ବିଶ୍ୱ ବିଦ୍ୟାଳୟର ଅଧିକାରୀଙ୍କ କହିବା ଅନୁସାରେ ଏଠାରେ ଏହିସବୁ ମଇଁଷିଙ୍କୁ କୃତ୍ରିମ ଗର୍ଭଧାରଣ ନିମନ୍ତେ ବ୍ୟବହାର କରାଯାଉଛି। ଏହା ବ୍ୟତୀତ ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ସ୍ଥାନରେ ହେଉଥିବା ପ୍ରଦର୍ଶନୀରେ ମଧ୍ୟ ଏହି ମଇଁଷି ଭାଗ ନେଇଥାନ୍ତି ଓ ଲକ୍ଷ ଲକ୍ଷ ଟଙ୍କା ରୋଜଗାର ବି କରିଥାନ୍ତି। କାରଣ ଏମାନଙ୍କର ସିମେନ୍‌ର ଖୁବ୍‌ ଚାହିଦା ରହିଛି ଓ ଲୋକେ ଚଢା ଦାମ୍‌ରେ ନେବାପାଇଁ ବି ପ୍ରସ୍ତୁତ ଥାନ୍ତି। କେବଳ ଜାତୀୟ ସ୍ତରରେ ନୁହେଁ ବରଂ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଏହି ସିମେନ୍‌ର ବହୁ ଚାହିଦା ରହିଛି। ସେଥିପାଇଁ ଦେଶ ବିଦେଶର ବିଭିନ୍ନ ସ୍ଥାନକୁ ଏମାନଙ୍କ ସିମେନ୍‌ ବିକ୍ରି କରାଯାଇଥାଏ। ଏବେ ସୁଦ୍ଧା ଏମାନଙ୍କଠାରୁ ହଜାର ହଜାର ସଂଖ୍ୟାରେ ଉନ୍ନତ ପ୍ରଜାତିର ମଇଁଷି ସୃଷ୍ଟି ହୋଇ ସାରିଛନ୍ତି ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।