ଏଇ ଭାରତରେ

ଏଲ୍‌ଆଇସି ପଲିସିରେ ସମସ୍ତେ ନିଜ ନିଜ ଆତ୍ମୀୟମାନଙ୍କୁ ନୋମିନି ରଖନ୍ତି। କିନ୍ତୁ ଏମିତି ବି ଲୋକ ଅଛନ୍ତି ଯିଏ ତାଙ୍କ ସବୁ ପଲିସିର ନୋମିନି ରଖିଛନ୍ତି ଭଗବାନ ମହାଦେବଙ୍କୁ। କଥାଟା ଶୁଣିଲେ ହୁଏତ ଅନେକେ ବିଶ୍ୱାସ କରିପାରିବେ ନାହିଁ। କିନ୍ତୁ ଏଭଳି ଏକ କାମ କରି ଭିନ୍ନ ଉଦାହରଣ ସୃଷ୍ଟି କରିଛନ୍ତି ମଧ୍ୟପ୍ରଦେଶ ଗ୍ବାଲିୟରରେ ରହୁଥିବା ମାଧୁରୀ ସକସେନା। ସେ ତାଙ୍କ ଏଲଆଇସି ପଲିସିରେ ସ୍ଥାନୀୟ ଅଞ୍ଚଳର ଆରାଧ୍ୟ ମହାଦେବ ଅଚଳେଶ୍ୱରଙ୍କୁ ନିଜର ନୋମିନି କରିଥିଲେ। ଗତ ମାର୍ଚ୍ଚ ମାସରେ ତାଙ୍କର ମୃତ୍ୟୁ ହୋଇ ଯାଇଥିବାରୁ ତାଙ୍କର ବୀମା ରାଶି ସ୍ବରୂପ ୭ ଲକ୍ଷ ୪୨ ହଜାର ଟଙ୍କା ଅଚଳେଶ୍ୱର ମନ୍ଦିରକୁ ଦିଆଯାଇଛି। ମାଧୁରୀଙ୍କ ବୀମା ଏଜେଣ୍ଟ ଏନେଇ ଜଣାଇଛନ୍ତି। ସୂଚନା ଅନୁସାରେ ମାଧୁରୀ ବିବାହ କରି ନ ଥିଲେ ଓ ପ୍ରଭୁ ଅଚଳେଶ୍ୱରଙ୍କୁ ହିଁ ସେ ତାଙ୍କର ସବୁକିଛି ବୋଲି ଗ୍ରହଣ କରି ନେଇଥିଲେ। ଆରମ୍ଭରୁ ସେ ମହାଦେବଙ୍କ ଭକ୍ତ ଥିଲେ। ତେଣୁ ବିବାହ ନ କରି ବାପା ମା’ଙ୍କ ପାଖରେ ରହିଥିଲେ। ବାପାମା’ଙ୍କ ସେବା କରିବା ପରେ ସମ୍ପର୍କୀୟମାନଙ୍କୁ ମଧ୍ୟ ବିଭିନ୍ନ ପ୍ରକାରର ଆର୍ଥିକ ସାହାଯ୍ୟ କରିଥିଲେ। ଏହାପରେ ସେ ଭଗବାନଙ୍କୁ କିଛି ଦାନ କରିବାକୁ ଇଚ୍ଛା କରିଥିଲେ। ତେଣୁ ୨୦୧୭ ମସିହାରେ ସେ ଏକ ପଲିସି କରି ଭଗବାନ ଅଚଳେଶ୍ୱରଙ୍କୁ ନୋମିନି ରଖିଥିଲେ। ଏହି ନିୟମ ଅନୁସାରେ ଏବେ ମନ୍ଦିର ଆକାଉଣ୍ଟକୁ ସବୁ ଅର୍ଥ ଯାଇଛି।