ଏଇ ଭାରତରେ

ଅକୁଲ ବିଶ୍ୱାସ ଦିବ୍ୟାଙ୍ଗ ହେଲେ ବି ପାରଙ୍ଗମ। ସେ ପରିବେଶ ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟକରି ଦକ୍ଷତାର ପରିଚୟ ଦେଇଛନ୍ତି। ମୁଖ୍ୟତଃ ସେ ହେନ୍ତାଳ ବଣ ସୁରକ୍ଷା ଓ ସଂରକ୍ଷଣ କରୁଛନ୍ତି। ଅକୁଲ ପଶ୍ଚିମବଙ୍ଗ ଦକ୍ଷିଣ ୨୪ ପ୍ରଗଣା ଜିଲାରେ ଝାରଖାଲି ସବୁଜ ବାହିନୀ ଗଠନ କରି ସୁନ୍ଦରବନର ହେନ୍ତାଳ ବନ ସଂରକ୍ଷଣ ପାଇଁ କାମ କରୁଛନ୍ତି। ୨୩ଟି ଗାଁର ୨୦୦ରୁ ଅଧିକ ଗୃହିଣୀଙ୍କୁ ସେ ଏହି ସଂଗଠନରେ ସାମିଲ କରିଛନ୍ତି। ଅକୁଲ ୨୦୦୫ରେ ତାଙ୍କ ଅଭିଯାନ ଆରମ୍ଭ କରିଥିଲେ। ସେ ପ୍ରଥମେ ଏକୁଟିଆ ବିଦ୍ୟାଧରି ନଦୀ ତଟରେ ମ୍ୟାନଗ୍ରୋଭ ଚାରା ରୋପଣ କରିଥିଲେ। ପରେ ଅକୁଲଙ୍କର ଏଭଳି କାର୍ଯ୍ୟ ଦେଖି ସ୍ଥାନୀୟ ଲୋକେ ତାଙ୍କ ସହ ସାମିଲ ହୋଇଥିଲେ। ଝାରଖାଲି ସବୁଜ ବାହିନୀର ମହିଳାମାନେ ପ୍ରତିଦିନ ମ୍ୟାନଗ୍ରୋଭ ମଞ୍ଜି ସଂଗ୍ରହ କରି ତାହାକୁ ନର୍ସରି ବ୍ୟାଗରେ ଲଗାଉଛନ୍ତି । ଗଛ ହେବା ପରେ ସେଗୁଡ଼ିକୁ ଲଗାଉଛନ୍ତି। ଏଥିପାଇଁ ପ୍ରତିଦିନ ସେମାନେ ଦିନକୁ ୨ ଘଣ୍ଟା ସମୟ ଦେଉଛନ୍ତି ଓ ପାଖାପାଖି ୨୦୦-୨୫୦ ଚାରା ଲଗାଉଛନ୍ତି। ସୁନ୍ଦରବନରେ ରହୁଥିବା ପରିବାରଗୁଡ଼ିକୁ ନିର୍ଦ୍ଦିଷ୍ଟ ପରିମାଣର ଜମିଦେଇ ସେଠାରେ ଜଙ୍ଗଲ ସୃଷ୍ଟି କରିବାକୁ ପ୍ରୋତ୍ସାହିତ କରିଛନ୍ତି। କେବଳ ଏତିକି ନୁହେଁ, ଯେଉଁ ସବୁ ପଞ୍ଚାୟତ ମ୍ୟାନଗ୍ରୋଭ ଜଙ୍ଗଲ ସୁରକ୍ଷା ପାଇଁ ଆଗେଇ ଆସୁଛନ୍ତି ସେଗୁଡ଼ିକୁ ସେ ସହଯୋଗ କରୁଛନ୍ତି।