
ଫାର୍ମଲାଣ୍ଡକୁ ଏକ ଫ୍ରି ଏକାଡେମୀରେ ପରିଣତ କରିଦେଇଛନ୍ତି ପୋଲିସ କନ୍ଷ୍ଟେବଲ ଥୋକାପ୍ପିୟାନ ଶିବରାଜ। ତାଙ୍କ ଘର ତମିଲନାଡୁର ଭିଲ୍ଲୁପୁରମା କପ୍ପୁରରେ। ତାଙ୍କ ବୟସ ଏବେ ୪୧। ସେ ଅର୍ଥନୀତିରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ପରେ ଅର୍ଥାଭାବରେ ସରକାରୀ ଚାକିରି ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। ୨୦୧୦ରେ ପୋଲିସରେ ଭର୍ତ୍ତି ହୋଇଥିଲେ। ଏହିଠାରେ ସେ ସରକାରୀ ଚାକିରି ଆଶାୟୀଙ୍କୁ ଶିକ୍ଷା ଓ ବିଭିନ୍ନ ଧନ୍ଦାମୂଳକ ଟ୍ରେନିଂ ଦେବାର ବ୍ୟବସ୍ଥା କରିଛନ୍ତି। ସେ ତାଙ୍କ ଟ୍ରେନିଂ ସେଣ୍ଟରର ନାମ ରଖିଛନ୍ତି ପୁଥିୟା ସିରାଗୁଗଲ ଅର୍ଥାତ୍ ‘ନ୍ୟୁ ଓ୍ବିଙ୍ଗସ’ । ଏହାକୁ ସେ ୨୦୧୩ରେ ପ୍ରତିଷ୍ଠା କରିଥିଲେ। ଏବେ ସୁଦ୍ଧା ୪୦୦ରୁ ଊର୍ଦ୍ଧ୍ୱ ଗ୍ରାମୀଣ ଯୁବକ ଏଠାରେ ଟ୍ରେନିଂ ନେଇ ସରକାରୀ ଚାକିରି ପାଇ ସାରିଲେଣି। ଏମାନେ ବିଶେଷକରି ପୋଲିସ, ରାଜସ୍ବ, ଶ୍ରମ ଏବଂ ପ୍ରଶାସନିକ ବିଭାଗରେ ଚାକିରି ପାଇଛନ୍ତି। ବଡ଼ କଥା ହେଉଛି ଶିବରାଜଙ୍କ ପୂରା ପରିବାର ପିଲାମାନଙ୍କୁ ପଢାଉଛନ୍ତି। ତାଙ୍କ ଭାଇ ସତ୍ୟରାଜ ବିଭିନ୍ନ ବିଷୟ ପଢାଇବା ସହ ଶାରୀରିକ ଟ୍ରେନିଂ ଦେଉଛନ୍ତି। ଭଉଣୀ ଜୀବିତା ଟାଇପିଂ, କମ୍ପ୍ୟୁଟର ଶିକ୍ଷା ଦେଉଛନ୍ତି। ସେ ୧ ଏକର ଜମିକୁ ଟ୍ରେନିଂ ଗାଉଣ୍ଡ କରିଦେଇଛନ୍ତି। ଏହା ପାଇଁ ସେ ତାଙ୍କ ସଞ୍ଚିତ ଅର୍ଥରୁ ୧୦ ହଜାର ଟଙ୍କା ଖର୍ଚ୍ଚ କରିଥିଲେ।