ପାର୍କରେ ବହି ପଢ଼ିବାର ବ୍ୟବସ୍ଥା କରୁଛନ୍ତି ଅହମଦାବାଦର ଜିତ୍ ଜୋଷୀ ଓ ଓମ୍ ଠାକୁର। ସେମାନେ ସହରର ବିଭିନ୍ନ ପାର୍କରେ ମିନି ଲାଇବ୍ରେରି ଖୋଲୁଛନ୍ତି। କହିବାକୁ ଗଲେ ପାର୍କକୁ ସେମାନେ ଏକ ପଠନ କେନ୍ଦ୍ର କରିଦେଇଛନ୍ତି। ଏହାର ଅଗ୍ରଗତି ପାଇଁ ‘ୟୋର ରିଡିଂ ସର୍କଲ’ ଅଭିଯାନ ଚଳାଇଛନ୍ତି। ସର୍ବସାଧାରଣ ପାର୍କଗୁଡ଼ିକରେ ପ୍ରତିଷ୍ଠା ହୋଇଥିବା ମିନି ଲାଇବ୍ରେରିରୁ ଲୋକେ ମାଗଣାରେ ବହି ନେଇ ପଢୁଛନ୍ତି। ଜିତ୍ ଜୋଷୀଙ୍କ ବୟସ ୨୦ ଓ ସେ ଏବେ ବି.କମ୍ ପଢୁଛନ୍ତି। ୧୯ ବର୍ଷୀୟ ଓମ୍ ଜଣେ ବିବିଏର ଛାତ୍ର। ସେମାନେ ବହି ସଂଗ୍ରହ କରି ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ସେପ୍ଟେମ୍ବର ୨୦୨୩ରେ ‘ୟୋର ରିଡିଂ ସର୍କଲ’ ଅଭିଯାନରେ ଅହମଦାବାଦର ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ଏଥିପାଇଁ ଏକ ହ୍ବାଟ୍ସଆପ୍ ଗ୍ରୁପ୍ ଖୋଲି ପଢ଼ିବା ସମ୍ପର୍କରେ ସଚେତନତା ସୃଷ୍ଟି କରିଥିଲେ ଏବଂ ପରେ ପ୍ରଥମ ମିନି ଲାଇବ୍ରେରି ପରିମଲ ଗାର୍ଡେନରେ ଖୋଲିଥିଲେ ଏମିତି କା ଲାଇବ୍ରେରି ସରକାରୀ ଅନୁମତିରେ ଖୋଲୁଛନ୍ତି। ପାର୍କରେ ଛୋଟ ଛୋଟ ବକ୍ସ କରି ସେଥିରେ ବହି ରଖାଯାଉଛି ଓ ପ୍ରତ୍ୟେକଟି ପାର୍କ ନିକଟରେ ରହୁଥିବା ଦୁଇଜଣ ସ୍ବେଚ୍ଛାସେବୀ ଏହାର ଦେଖାରଖା କରୁଛନ୍ତି। ଜିତ୍ ଓ ଓମ୍ ଏବେ ଗୁଜରାଟର ବିଭିନ୍ନ ସ୍କୁଲରେ ଲାଇବ୍ରେରି ଖୋଲିବାକୁ ଯୋଜନା କରୁଛନ୍ତି।


