ଏଇ ଭାରତରେ

ଆଜିକାଲି ପିଲାଙ୍କର ଫୋନ୍‌ ପ୍ରତି ଏଭଳି ଦୁର୍ବଳତା ରହିଛି ଯେ ସେମାନେ କିଛି ବି କରିବାକୁ ପଛାଉ ନାହାନ୍ତି। ଫୋନ୍‌ଟିଏ ପାଇଁ ସବୁକିଛି ତୁଚ୍ଛ କରି ଜୀବନକୁ ବାଜି ଲଗାଇ ଦେଉଛନ୍ତି। ଏମିତିକି ଘର ଛାଡ଼ି ଚାଲିଯିବାକୁ ବି ପଛାଉ ନାହାନ୍ତି। ଅଜବ ମନେ ହେଉଥିଲେ ବି ଏଭଳି ଘଟଣା ଦେଖିବାକୁ ମିଳିଛି ହରିୟାଣା ଅମ୍ବାଲାର କମଲ ବିହାର ଅଞ୍ଚଳରେ। ଏଠାରେ ୧୫ ବର୍ଷୀୟ ଜଣେ ବାଳକ ଫୋନ୍‌ ପାଇଁ ଘର ଛାଡ଼ି ଚାଲି ଯାଇଥିଲେ। ଘଟଣା ଅନୁସାରେ ପିଲାଟି ଦଶମ ଶ୍ରେଣୀର ଛାତ୍ର, କିନ୍ତୁ ଘରେ ପାଠପଢ଼ା ତୁଳନାରେ ଅଧିକାଂଶ ସମୟ ଫୋନ୍‌ ଦେଖିବାରେ କଟାଉଥିଲେ। ତେଣୁ ଏହି ଅଭ୍ୟାସ ଛଡ଼ାଇବା ପାଇଁ ତାଙ୍କ ବାପା ତାଙ୍କୁ ଫୋନ୍‌ ନ ଦେଖିବାକୁ କହି ଗାଳି କରିଥିଲେ। କିନ୍ତୁ ଫୋନ୍‌ ଦେଖିବା ନେଇ ସମ୍ପୃକ୍ତ ବାଳକଜଣକ ଏତେ ଅଭ୍ୟସ୍ତ ହୋଇ ଯାଇଥିଲେ ଯେ ତାଙ୍କୁ ବହୁତ କଷ୍ଟ ହୋଇଥିଲା। ଫୋନ୍‌ ବିନା ତାଙ୍କ ଜୀବନକୁ ବ୍ୟର୍ଥ ବୋଲି ସେ ଭାବିଥିଲେ। ତେଣୁ ଘରଛାଡ଼ି କୁଆଡେ ଚାଲି ଯାଇଥିଲେ। ଏହାପରେ ତାଙ୍କ ବାପା ତାଙ୍କୁ ଖୋଜିବା ପାଇଁ ବନ୍ଧୁ ସମ୍ପର୍କୀୟଙ୍କ ଘରଠାରୁ ଆରମ୍ଭ କରି ବସଷ୍ଟାଣ୍ଡ, ଷ୍ଟେସନ୍‌ ସବୁଆଡ଼କୁ ଯାଇଥିଲେ। ହେଲେ ପୁଅକୁ ନ ପାଇ ନିରାଶ ହୋଇ ଫେରିଥିଲେ। ଏହାପରେ ବାଧ୍ୟ ହୋଇ ସେ ପୋଲିସରେ ଖବର ଦେଇଥିଲେ। ତେବେ ପୋଲିସ ଖୋଜିବା ପରେ ବାଳକଜଣକ ଧରା ପଡ଼ିଥିଲେ। ପୋଲିସ ବାଳକଙ୍କୁ ବୁଝାସୁଝା କରି ଘରେ ଛାଡ଼ି ଦେଇଛି।