
ବାର୍ଦ୍ଧକ୍ୟରେ ଯେତେବେଳେ ସମ୍ପର୍କର ଡୋର ଛିଣ୍ଡିବା ଆରମ୍ଭ ହୁଏ ସେତେବେଳେ ବିବାହ କଥା ଚିନ୍ତା କରିବା ଅସମ୍ଭବ ଲାଗିଥାଏ। ହେଲେ ଏଭଳି ଏକ ଭାବନାକୁ ଭୁଲ ପ୍ରମାଣିତ କରିଛନ୍ତି ୬୬ ବର୍ଷୀୟ ମୁନ୍ନାଲାଲ୍ ଓ ୫୭ ବର୍ଷୀୟା ପ୍ରମିଳା। ଚାରି ଦିନ ତଳେ ଉଭୟ ବିବାହ କରି ପରସ୍ପରକୁ ଜୀବନସାଥୀଭାବେ ଗ୍ରହଣ କରିଛନ୍ତି। ଏପରି ଏକ ଘଟଣା ଘଟିଛି ଉତ୍ତରପ୍ରଦେଶର ଆଗ୍ରାରେ। ଉଭୟ ଏଠାରେ ଏକ ବୃଦ୍ଧାଶ୍ରମରେ ରହୁଥିଲେ। ୬ ମାସ ତଳେ ପରସ୍ପର ସହିତ ସାକ୍ଷାତ ହୋଇଥିଲା। ପ୍ରମିଳାଙ୍କ ପୂର୍ବ ସ୍ବାମୀଙ୍କର ମୃତ୍ୟୁ ହୋଇ ସାରିଥିଲା ଓ ତାଙ୍କ ଘର ଲୋକେ ତାଙ୍କୁ ବୃଦ୍ଧାଶ୍ରମରେ ଛାଡି ଚାଲି ଯାଇଥିଲେ। ସେହିଭଳି ମୁନ୍ନାଲାଲ୍ ତାଙ୍କର ୯୦ ବର୍ଷୀୟା ମା’ଙ୍କ ସହିତ ସେହି ବୃଦ୍ଧାଶ୍ରମରେ ରହୁଥିଲେ। ତାଙ୍କୁ ମଧ୍ୟ ତାଙ୍କ ପରିବାର ଲୋକେ ଘରୁ ବାହାର କରି ଦେଇଥିଲେ। ଉଭୟ ପରସ୍ପରକୁ ଭେଟି ନିଜ ନିଜର ଦୁଃଖ ବାଣ୍ଟିବା ପରେ ବାକି ଜୀବନ ଏକାଠି ରହିବା ପାଇଁ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ସେମାନେ ବିବାହ କରିବା ପାଇଁ ଆଶ୍ରମର ଅଧିକାରୀଙ୍କୁ ଜଣାଇଥିଲେ। ଏହାପରେ ଆଶ୍ରମରେ ବୈଦିକ ରୀତିରେ ସେମାନଙ୍କର ବିବାହ ଧୁମଧାମରେ ହୋଇଥିଲା। ମୁନ୍ନାଲାଲ୍ ଓ ପ୍ରମିଳା ପରସ୍ପରର ହାତ ଧରି ବାକି ଜୀବନ ବିତେଇବାକୁ ସଂକଳ୍ପ ନେଇଥିବାବେଳେ ମୁନ୍ନାଲାଲ୍ଙ୍କ ମା’ ସେମାନଙ୍କୁ ଆଶୀର୍ବାଦ ଦେଇଥିଲେ। ସମାଜ କ’ଣ କହିବ ଏହି ଚିନ୍ତା ନ କରି ଉଭୟେ ଏବେ ଏକୁଟିଆପଣରୁ ମୁକ୍ତି ପାଇଁ ଏହି ପନ୍ଥାକୁ ଆପଣେଇଛନ୍ତି।