ଏଇ ଭାରତରେ

ଗ୍ରାମାଞ୍ଚଳରେ ପାନୀୟ ଜଳ ଯୋଗାଣର ସଫଳତା କଥା ଯେତିକି ଜୋର କୁହାଯାଉଛି ତାହାର ବାସ୍ତବତା ସେତିକି ନୁହେଁ। ଦେଶରେ ଏମିତି ଅଞ୍ଚଳ ରହିଛି ଯେଉଁଠି ଏବେ ବି ପାନୀୟ ଜଳର ଅଭାବ ରହିଛି। ପିଲାମାନେ ସ୍କୁଲରେ ମଧ୍ୟ ତାହା ପାଇବାରୁ ବଞ୍ଚିତ ହେଉଛନ୍ତି। ତେବେ ଡ. ଅନିଲ ରାଜବଂଶୀଙ୍କ ସୌରଶକ୍ତି ଚାଳିତ ଓ୍ବାଟର ପ୍ୟୁରିଫିକେଶନ ପଦ୍ଧତି ଏହି ସମସ୍ୟାର ଅନେକାଂଶରେ ସମାଧାନ କରିପାରିବ। ରାଜବଂଶୀ ମହାରାଷ୍ଟ୍ରର ଏକ ନିମ୍ବାକର ଏଗ୍ରିକଲଚରାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ନିର୍ଦ୍ଦେଶକ ଭାବେ କାମ କରୁଛନ୍ତି। ଏହି ପଦ୍ଧତିରେ ପିଲାମାନଙ୍କଠାରେ ଦେଖାଯାଉଥିବା ସଂକ୍ରମଣ ହ୍ରାସ କରିବା ସହ ସେମାନଙ୍କୁ ସୁସ୍ଥ ରଖିବ ବୋଲି କହନ୍ତି ରାଜବଂଶୀ। ସେ ଏହି ପଦ୍ଧତିକୁ ବ୍ୟବହାର କରି ମହାରାଷ୍ଟ୍ରର ସତାର ଜିଲା ଫାଲଟନ ଅଞ୍ଚଳରେ ସ୍କୁଲ ପିଲାଙ୍କୁ ସ୍ବଚ୍ଛ ପାନୀୟ ଜଳ ଯୋଗାଇ ଦେଉଛନ୍ତି। ପାଖାପାଖି ୪୦୦ରୁ ଊର୍ଦ୍ଧ୍ୱ ପିଲା ଏବେ ଏଥିରେ ଉପକୃତ ହେଉଛନ୍ତି। ବଡ଼ କଥା ହେଉଛି, ଏହି ଓ୍ବାଟର ପ୍ୟୁରିିଫିକେଶନ ପଦ୍ଧତିରେ ଦିନକୁ ୧୦୦ରୁ ୨୦୦ ଲିଟର ସ୍ବଚ୍ଛ ପାନୀୟ ଜଳ ଯୋଗାଯାଇପାରୁଛି। ଏହି ପଦ୍ଧତିରେ ସଂଗୃହୀତ ବର୍ଷାଜଳକୁ ଫିଲଟର କରାଯାଇ ତାହାକୁ ସାଧାରଣ ଶାଢ଼ି ମାଧ୍ୟମରେ ଫିଲଟର ବ୍ୟବସ୍ଥା କରାଯାଇଛି। ପରେ ସେହି ଫିଲଟର ପାଣିକୁ ସୋଲାର ଥର୍ମାଲ ଟେକ୍‌ନୋଲୋଜିରେ ଜୀବାଣୁ ମୁକ୍ତ କରାଯାଉଛି।