କେରଳର ଆର୍. ବିଶ୍ୱନ ମହୁ ଚାଷକରି ବର୍ଷକୁ ୨୫ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ତାଙ୍କ ଫାର୍ମରେ ଏବେ ୬,୦୦୦ ମହୁ ବାକ୍ସ ଅଛି ଓ ସେଥିରୁ ବର୍ଷକୁ ୯୦-୧୧୦ ଟନ୍ ମହୁ ଉପତ୍ାଦନ ହେଉଛିି। ବିଶ୍ୱନଙ୍କ ଜନ୍ମ ଥିରୁଭାନନ୍ତପୁରମ ଜିଲା ନେୟାତିନ୍କାରା ଗାଁରେ। ଗାଁ ଲୋକ ଭାରି ଅନ୍ଧବିଶ୍ୱାସୀ । ସେ ପରିବାର ପାଇଁ ଅମଙ୍ଗଳ ବୋଲି କେତେଜଣ ଜ୍ୟୋତିଷ ତାଙ୍କ ମାତାପିତାଙ୍କୁ କହିବା ପରେ ବିଶ୍ୱନଙ୍କ ଜୀବନ ଅନ୍ଧକାର ହୋଇଯାଇଥିଲା। ତାଙ୍କୁ ପିଲାଙ୍କ ସହ ଖେଳିବାକୁ ଦିଆଯାଉ ନ ଥିଲା। ଏମିତି କି ତାଙ୍କ ପିତାଙ୍କ ବ୍ୟବସାୟରେ କ୍ଷତି ହେବାରୁ ପରିବାର ମାଳପୁରମ ଜିଲାର ନୀଳାମ୍ବୁରକୁ ଚାଲିଯାଇଥିଲେ। ହେଲେ ବିଶ୍ୱନଙ୍କୁ ରାସ୍ତାରେ ମାତ୍ର ୭ ବର୍ଷ ବୟସରେ ଛାଡ଼ି ଚାଲିଯାଇଥିଲେ। ବିଶ୍ୱନ ଦିନରେ ରାସ୍ତାକଡ଼ରେ ଓ ରାତିରେ ଫସଲ ଜଗିବା ଲାଗି ତିଆରି ହୋଇଥିବା ଟ୍ରିହାଉସରେ ରହୁଥିଲେ। ଏପରି କି ତାଙ୍କୁ ଖାଦ୍ୟ ଚୋରି କରିବାକୁ ପଡ଼ିଥିଲା ଓ ଧରାପଡ଼ିବା ପରେ ଦୋକାନ ମାଲିକ ବିଶ୍ୱନଙ୍କୁ ଗାଈଚରା କାମରେ ଲଗାଇଥିଲେ। ଏହା ଥିଲା ୧୯୭୦ ଦଶକର ଘଟଣା। ଗାଈ ଜଗିବା ସମୟରେ ସେ ମହୁମାଛିଙ୍କୁ ଦେଖିବା ପରେ ଚାଷ କରିବାକୁ ମନ ବଳାଇଥିଲେ। ପରେ ସେ ଗାଈଜଗା କାମ ଛାଡ଼ି ପ୍ରଥମେ ବଜାରରୁ ଗୋଟିଏ ମହୁ ବାକ୍ସ କିଣି ମହୁମାଛି ପାଳନ କରିଥିଲେ।