ଭାରତରେ କରୋନା ସ୍ଥିତି ଏଣ୍ଡେମିକ୍‌ ହୋଇପାରେ, ଡବ୍ଲ୍ୟୁଏଚ୍‌ଓ ପକ୍ଷରୁ ସୂଚନା…

ଜେନେଭା,୨୫।୮: ଭାରତରେ କରୋନା ସ୍ଥିତି ଏଣ୍ଡେମିକ୍‌ ହୋଇପାରେ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଅର୍ଥାତ୍‌ ଭାରତରେ ଲୋକେ ଏହି ଭୂତାଣୁ ସହିତ ବଞ୍ଚିବାକୁ ସାଧାରଣ ଭାବେ ଗ୍ରହଣ କରିନେବେ ବୋଲି ଡବ୍ଲ୍ୟୁଏଚ୍‌ଓର ମୁଖ୍ୟ ବୈଜ୍ଞାନିକ ଡ.ସୌମ୍ୟା ସ୍ବାମୀନାଥନ କହିଛନ୍ତି। ଦେଶର ଜନସଂଖ୍ୟାର ବଡ଼ ଅଂଶ କରୋନାରେ ଆକ୍ରାନ୍ତ ହୋଇ ପେଣ୍ଡେମିକ୍‌ ସ୍ଥିତି ସୃଷ୍ଟି କରିଛି। ଅର୍ଥାତ୍‌ କମ୍‌ ସମୟରେ ଏହା ମହାମାରୀ ରୂପ ଧାରଣ କରିଥିବା ସେ କହିଛନ୍ତି। ଏହାପରେ କରୋନା ଏଣ୍ଡେମିକ୍‌ ଷ୍ଟେଜ୍‌ରେ ପହଞ୍ଚିପାରେ ବୋଲି ସେ କହିଛନ୍ତି। ୨୦୨୨ ଶେଷ ସୁଦ୍ଧା ଦେଶର ୭୦ ପ୍ରତିଶତ ଲୋକଙ୍କର ଟିକାକରଣ କରାଯିବା ନେଇ ସୌମ୍ୟା ଆଶା ପ୍ରକାଶ କରିଛନ୍ତି। ସଚେତନା ସହିତ କରୋନା ମହାମାରୀର ମୁକାବିଲା କରିବାକୁ ସେ କହିଛନ୍ତି। ସମ୍ଭାବ୍ୟ ତୃତୀୟ ଲହରକୁ ଦୃଷ୍ଟିରେ ରଖି ମାତାପିତାଙ୍କୁ ସତର୍କ ରହିବାକୁ ସେ ପରାମର୍ଶ ଦେଇଛନ୍ତି। ତୃତୀୟ ଲହରରେ ଛୋଟ ପିଲା ଆକ୍ରାନ୍ତ ହେବାର ଆଶଙ୍କା ଅଧିକ ରହିଥିବାରୁ କରୋନା ମାର୍ଗଦର୍ଶିକାକୁ କଡ଼ାକଡ଼ି ଭାବେ ପାଳନ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି।

Share